BusinessFeaturedLatestNews

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ତୁଟିଲା ରାଜ୍ୟ ସରକାର- ଘରୋଇ ବ୍ୟାଙ୍କ ବିବାଦ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ଓ ଆସିଆଇସିଆଇ, ଆକ୍ସିସ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧ୍ୟରେ ଥିବା ବିବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପରେ ଆଜି ତୁଟିଛି । ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଏହି ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ଅସନ୍ତୋଷଜନକ ଥିବାରୁ ରାଜ୍ୟ ସରକାର ଜୁନ୍ ୨୧ ତାରିଖରେ ଏମପାନେଲ୍ଡ ତାଲିକାରୁ ସେମାନଙ୍କୁ ବାହାର କରିଦେଇଥିଲେ ।

ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ଏହି ବ୍ୟାଙ୍କଗୁଡ଼ିକର ପ୍ରତିନିଧିଙ୍କ ସହିତ ଆଲୋଚନା କରି ସମାଧାନ ପଥ ଖୋଜିଛନ୍ତି । କୃଷି ଋଣ, PMEGP, ପିଏମ ସ୍ୱନିଧି, ଷ୍ଟାଣ୍ଡଅପ ଇଣ୍ଡିଆ, ଗୃହ ଋଣ, ଶିକ୍ଷା ଋଣ ଆଦି ଯୋଜନାରେ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ଉନ୍ନତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, “ଗରିବଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ଅଧିକ ଲୋକଙ୍କୁ ଋଣ ଦେଇ ସେମାନଙ୍କ ଜୀବନ ଉନ୍ନତ କରିବାକୁ ପ୍ରୟାସ କରନ୍ତୁ ।”

ବ୍ୟାଙ୍କ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକୁ ସ୍ୱାଗତ କରି ଶୀଘ୍ର ପ୍ରଦର୍ଶନ ଉନ୍ନତି ଆଣିବାକୁ ଆଶ୍ୱାସନା ଦେଇଛନ୍ତି । ଅର୍ଥ ବିଭାଗର ଶାସନ ସଚିବ ଶାଶ୍ୱତ ମିଶ୍ର ଏହି ବୈଠକରେ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ବିଷୟରେ ରିପୋର୍ଟ ପ୍ରଦାନ କରିଛନ୍ତି ।

ଏହି ବୈଠକରେ ଆକ୍ସିସ ବ୍ୟାଙ୍କର ମୁନୀଷ ସାରଦା, ଏଚ୍‌ଡିଏଫ୍‌ସିର ସ୍ମିତା ଭଗତ ଓ ଆସିଆଇସିଆଇର ସୁମିତ ମେହେରୋତ୍ରା ସମେତ ଅନ୍ୟ ବ୍ୟାଙ୍କ ପ୍ରତିନିଧିମାନେ ଯୋଗଦାନ କରିଥିଲେ । ସରକାର ଆଶା କରୁଛନ୍ତି ଯେ ଏହି ସହଯୋଗରେ ରାଜ୍ୟର ଗରିବ ଓ ନିମ୍ନଆୟ ବର୍ଗଙ୍କୁ ଅଧିକ ଋଣ ସୁବିଧା ମିଳିବ ।