ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ
ଭୁବନେଶ୍ବର (ସଂକେତ ଟିଭି): ରଥଯାତ୍ରା ପ୍ରସଙ୍ଗରେ ବିରୋଧୀ ଦଳଙ୍କ ଅଭିଯୋଗକୁ କଡ଼ା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିରୋଧୀଙ୍କ ଆଳରେ ମନ୍ତ୍ରୀ କହିଛନ୍ତି, “ଯେଉଁମାନେ ନିଜକୁ ଅକର୍ମା ବୋଲି ପ୍ରମାଣିତ କରିସାରିଛନ୍ତି, ସେମାନେ ଅଧିକ କଥା କହୁଛନ୍ତି।”
ମନ୍ତ୍ରୀ କହିଛନ୍ତି, “ବିରୋଧୀମାନେ କିପରି ରଥଯାତ୍ରା ପରିଚାଳନା କରୁଥିଲେ, ତାହା ଓଡ଼ିଶାବାସୀ ଜାଣିଛନ୍ତି। ତାଙ୍କ ସମୟରେ କ’ଣ ଘଟୁଥିଲା, ସମସ୍ତେ ଦେଖିଛନ୍ତି। ଏଥିରେ ଅଧିକ କହିବାର ଆବଶ୍ୟକତା ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ରଥଯାତ୍ରାକୁ ନେଇ ରାଜନୀତିକ ବିବାଦ ସୃଷ୍ଟି କରିବାକୁ ସରକାର ଇଚ୍ଛୁକ ନୁହଁନ୍ତି।
ଆଇନ ମନ୍ତ୍ରୀ ଜୋର୍ ଦେଇ କହିଛନ୍ତି, “ଯେଉଁମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ ଭଗବାନ ଦଣ୍ଡିତ କରିବେ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେଉ। ଜଗନ୍ନାଥଙ୍କ ଆଶୀର୍ବାଦରେ ସମସ୍ତ ପ୍ରକ୍ରିୟା ସୁଚାରୁ ଭାବେ ଶେଷ ହେବ।”
ଏଥିସହ ସେ କହିଛନ୍ତି ଯେ ଲୋକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ମଙ୍ଗଳବାର ରଥଯାତ୍ରାର ପ୍ରସ୍ତୁତି ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଏବଂ ସେବାୟତମାନଙ୍କ ସହିତ ଆଲୋଚନା କରିଛନ୍ତି। ତେଣୁ କୌଣସି ସମସ୍ୟା ହେବ ନାହିଁ ବୋଲି ମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି।