ପୁରୀ ଦଳାଚକଟା ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ, ୪ ଓଏଏସ୍ ଅଧିକାରୀ ସାମିଲ
ଭୁବନେଶ୍ବର (ସଂକେତ ଟିଭି): ପୁରୀର ଶରଧାବାଲିରେ ଗତ ରବିବାର ଦିନ ଭୋର୍ରୁ ଘଟିଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି। ଉନ୍ନୟନ କମିସନରଙ୍କ ନେତୃତ୍ୱରେ ତଦନ୍ତ ପାଇଁ ଗଠନ କରାଯାଇଥିବା ଏହି କମିଟିରେ ୪ ଜଣ ଓଏଏସ୍ ଅଧିକାରୀଙ୍କୁ ସାମିଲ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।
ନିର୍ଦ୍ଦେଶନାମାରେ କୁହାଯାଇଛି, ରାଜ୍ୟ ସରକାର ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁଙ୍କୁ ତଦନ୍ତକାରୀ ଟିମ୍ରେ ସାମିଲ କରିଛନ୍ତି। ଏହି ୪ ଜଣ ଓଏଏସ୍ ଅଧିକାରୀ ପ୍ରତିଦିନ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅପରାହ୍ନ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ।
ଗତ ରବିବାର ଦିନ ପ୍ରତ୍ୟୁଷରେ ଶରଧାବାଲିରେ ମହାପ୍ରଭୁଙ୍କ ପହୁଡ଼ ଖୋଲିବା ପରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ। ଏହି ଘଟଣାରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ।
ଶରଧାବାଲି ଦଳାଚକଟା ପରେ ଏହି ଖବର ପୂରା ଦେଶରେ ଚର୍ଚ୍ଚା ହୋଇଥିଲା। ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ବିରୋଧୀ ଦଳର ନେତାମାନେ ରାଜ୍ୟ ସରକାରଙ୍କୁ ଘେରିଥିଲେ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ, ପୁରୀ ଶରଧାବାଲିରେ ମହାପ୍ରଭୁଙ୍କ ସକାଳ ଦର୍ଶନ ସମୟରେ ଭୀଷଣ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ଭକ୍ତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଏହି ଦୁଃଖଦାୟକ ଘଟଣାରେ ଆହତ ହୋଇଥିବା ସମସ୍ତ ଭକ୍ତଙ୍କ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ତିନି ଜଣ ଶ୍ରଦ୍ଧାଳୁ ମୃତ୍ୟୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୁହଁ ଖୋଲିଥିଲେ। ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ ଟୁଇଟ୍ କରି ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ।