୩ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର(ସଂକେତ ଟିଭି): ଚଳିତ ସପ୍ତାହ ଶେଷ ସୁଦ୍ଧା ଓଡ଼ିଶା ଉପରେ ଆଉ ଏକ ଲଘୁଚାପର ପ୍ରଭାବ ପଡିବ ବେଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ପଶ୍ଚିମବଙ୍ଗ ନିକଟବର୍ତ୍ତୀ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତଥାପି, ଏହା ଅଧିକ ସକ୍ରିୟ ହେବ ନାହିଁ ବୋଲି ଆଇଏମଡି ସ୍ପଷ୍ଟ କରିଛି।
ଏହାପୂର୍ବରୁ, ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉପରେ ସକ୍ରିୟ ଥିବା ଲଘୁଚାପ ବୁଧବାର ଦୁର୍ବଳ ହୋଇ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଆଡକୁ ଗତି କରିଛି। ତଥାପି, ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଇଏମଡି ପକ୍ଷରୁ ରାଜ୍ୟରେ ଆହୁରି ୩ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।
ଗୁରୁବାର ସକାଳ ୮.୩୦ ପର୍ଯ୍ୟନ୍ତ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ସୋନପୁର, ବରଗଡ଼ ଏବଂ କନ୍ଧମାଳ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହିତ, ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ ଏବଂ ନୂଆପଡ଼ା ଜିଲ୍ଲାଗୁଡ଼ିକ ପାଇଁ ୟୋଲୋ ଆଲର୍ଟ ମଧ୍ୟ ଜାରି ହୋଇଛି।
୪ ଜୁଲାଇରେ ବରଗଡ଼, ବଲାଙ୍ଗୀର ଏବଂ ସୋନପୁରରେ ପ୍ରବଳ ବର୍ଷା ଏବଂ ଅନ୍ୟାନ୍ୟ ସ୍ଥାନରେ ହାଲୁକା ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ୫ ଜୁଲାଇରେ ବର୍ଷା ପରିମାଣ ବୃଦ୍ଧି ପାଇପାରେ। ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ଆଶଙ୍କା ରହିଛି, ଯାହାକି ଅରେଞ୍ଜ ୱାର୍ଣ୍ଣିଂ ସହ ଘୋଷଣା କରାଯାଇଛି।
୬ ଜୁଲାଇରେ ଝାରସୁଗୁଡ଼ା ଏବଂ ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୭ ଜୁଲାଇରେ ଝାରସୁଗୁଡ଼ା ଏବଂ ବରଗଡ଼ରେ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି। ଆଇଏମଡି ଅନୁଯାୟୀ, ୮ ଜୁଲାଇ ପରେ ବର୍ଷା ପରିମାଣ କମିବାର ସମ୍ଭାବନା ରହିଛି।