FeaturedLatestNews

ବାଲେଶ୍ୱର ଜିଲ୍ଲାର ବନ୍ୟାଞ୍ଚଳ ବୁଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର(ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବ କ୍ରମାଗତ ଭାବରେ ବଢିଚାଲିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ଦିନ ଜିଲ୍ଲା ଗସ୍ତରେ ଯାଇ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ସର୍ବେକ୍ଷଣ କରିଛନ୍ତି। ବନ୍ୟା ଯୋଗୁଁ ଜିଲ୍ଲାର ୬ଟି ବ୍ଲକ୍‌ର ୧୫୪ ଗ୍ରାମ ଏବଂ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ପ୍ରଭାବିତ ହୋଇଛି।

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଖାଦ୍ୟ ଯୋଗାଣ ସହିତ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଏବଂ ରେମୁଣା ଅଞ୍ଚଳରେ ବନ୍ୟା ଜଳରେ ଗ୍ରାମଗୁଡ଼ିକ ବୁଡିଯାଇଛି। ଉପମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, “ଆଜି ବାଲେଶ୍ୱର ଜିଲ୍ଲା ଗସ୍ତରେ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲି।”

ଲଗାତାର ବର୍ଷା ଏବଂ ବନ୍ୟା ଯୋଗୁଁ ଚାଷୀମାନଙ୍କ ପରିବା ଫସଲ ନଷ୍ଟ ହୋଇଯାଇଛି, ଯାହାକି ଚାଷୀଙ୍କୁ ଚିନ୍ତାରେ ରଖିଛି। ଏହି ସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୋଗରାଇ ଅଞ୍ଚଳକୁ ଯାଇ ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ଶୁଣିଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁବର୍ଣ୍ଣରେଖା ନଦୀର ଜଳସ୍ତର କମିଥିବା ଦେଖାଯାଉଛି, ମାତ୍ର ଭୋଗରାଇର ୪ଟି ପଞ୍ଚାୟତ ଏବେ ମଧ୍ୟ ପାଣି ଘେରରେ ଅଛି। ରାଜଘାଟ ନିକଟରେ ସତର୍କ ସୂଚନା ୯.୧୭ ମିଟରରେ ରହିଛି। ଭୋଗରାଇ ବ୍ଲକ୍‌ର କୁସୁଡା ପଞ୍ଚାୟତର ଗୁଜଡିହା ଗାଁର ଲୋକେ ୪ ଦିନ ଧରି ବାହ୍ୟ ଜଗତରୁ ଅଲଗା ହୋଇ ରହିଛନ୍ତି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଲୋକଙ୍କ ଯାତାୟତ ପାଇଁ ଦୁଇଟି ବୋଟର ବ୍ୟବସ୍ଥା କରାଯାଇଛି। ଜଳକା ନଦୀର ଜଳସ୍ତର ମଥାନୀଠାରେ ୫.୪୫ ମିଟର ରହିଛି।