CulturalFeaturedLatestNews

ରତ୍ନଭଣ୍ଡାର ମରାମତି କାର୍ଯ୍ୟ ତଦାରଖ କରି ସନ୍ତୋଷ ପ୍ରକାଶ କଲେ ଗଜପତି ମହାରାଜା

ପୁରୀ (ସଂକେତ ଟିଭି): ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆଜି ତଦାରଖ କରିଛନ୍ତି ଶ୍ରୀମନ୍ଦିରର ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାଙ୍କ ତଦାରଖ ପରେ ସେ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ମହାରାଜା କହିଛନ୍ତି ଯେ, ନୀଳାଦ୍ରି ବିଜେ ସମୟ ଆସିବା ପୂର୍ବରୁ ସମସ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ମନ୍ଦିରର ପାରମ୍ପାରିକ ନିର୍ମାଣ ଶୈଳୀକୁ ଅନୁସରଣ କରି ମରାମତି କାର୍ଯ୍ୟ ସମ୍ପାଦନ କରାଯାଇଛି। ପ୍ରାୟ ୬୦୦ରୁ ଅଧିକ ପଥର ବଦଳାଯାଇ ନୂତନ ପଥର ଲଗାଯାଇଛି।

ମହାପ୍ରଭୁ ରତ୍ନ ସିଂହାସନକୁ ଫେରିବା ପରେ ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଅତିଶୀଘ୍ର ହେବ ବୋଲି ମହାରାଜା ଜଣାଇଛନ୍ତି। ସେ ଆହୁରି କହିଛନ୍ତି ଯେ, ରତ୍ନଭଣ୍ଡାର ଭିତର ଅଂଶ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି ଏବଂ କାରୁକାର୍ଯ୍ୟ ତାଙ୍କୁ ବେଶ୍ ପ୍ରଭାବିତ କରିଛି।

ଶ୍ରୀମନ୍ଦିର ପ୍ରଶାସନ ଅନୁଯାୟୀ, ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରାୟ ସମାପ୍ତ ହୋଇସାରିଛି। ଭିତର ଓ ବାହାର ଅଂଶରେ ପଥର ବଦଳାଯାଇ ସମସ୍ତ ବିମ (ସ୍ତମ୍ଭ) ଶକ୍ତିଶାଳୀ କରାଯାଇଛି। ରାସାୟନିକ ପ୍ରଲେପ ପ୍ରୟୋଗ କରି ଭଣ୍ଡାରକୁ ସୁରକ୍ଷିତ କରାଯାଇଛି। ସମୁଦାୟ ୧୪ଟି ନୂତନ ବିମ ନିର୍ମାଣ କରାଯାଇଛି। ଏହି କାର୍ଯ୍ୟରେ ୮୦ରୁ ଅଧିକ କୁଶଳୀ କାରିଗର ନିୟୋଜିତ ହୋଇଥିଲେ।

ଶ୍ରୀମନ୍ଦିରର ସମସ୍ତ ଦ୍ୱାର ପରିଷ୍କାର କରାଯାଇଛି ଏବଂ ଆବଶ୍ୟକ ସ୍ଥାନରେ ବର୍ମାଟିକ କାଠରେ ନୂତନ କବାଟ ଲଗାଯିବ। ଗର୍ଭଗୃହରେ ଥିବା ପୁରାତନ କାଠର କନକ ମୁଣ୍ଡିକୁ ସ୍ଟେନଲେସ୍ ଷ୍ଟିଲରେ ବଦଳାଯାଇଛି, ଯାହା ଅଧିକ ଟାଣୁଆ ହେବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ଗଜପତି ମହାରାଜା ନିଜେ ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି। ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରାୟ ସମାପ୍ତ ହୋଇସାରିଛି ଏବଂ ବାହାର ଅଂଶର କାର୍ଯ୍ୟ ଆଗାମୀ କିଛି ଦିନରେ ଶେଷ ହେବ।