FeaturedLatestNewsPolitics

ଜନସାଧାରଣଙ୍କ ଚାପରେ ଜଗନ୍ନାଥଙ୍କୁ ଗିରଫ କଲା ସରକାର : ଅରୁଣ ସାହୁ

ଭୁବନେଶ୍ବର :(ସଂକେତ ଟିଭି) ଜଗନ୍ନାଥ ପ୍ରଧାନଙ୍କ ଗିରଫକୁ ନେଇ ବିଜେଡି ବିଧାୟକ ଅରୁଣ କୁମାର ସାହୁ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ଓଡିଶା ଏକ ହାଇ-ଡ୍ରାମା ଘଟଣାର ସାକ୍ଷୀ ହୋଇଥିଲା, ଯେଉଁଥିରେ ସରକାର ଜନତାର ଚାପରେ ଚେପା ହୋଇ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲେ।

ଏହି ଘଟଣାକ୍ରମେ, ଜଗନ୍ନାଥ ପ୍ରଧାନ ପ୍ରଥମେ ପାର୍ଟି ଅଫିସ୍ ଯାଇ ସଭାପତିଙ୍କ ସହ ଆଲୋଚନା କରିଥିଲେ, ମାତ୍ର ସେତେବେଳେ ତାଙ୍କୁ ଗିରଫ କରାଯାଇନଥିଲା। ପରେ ସେ ନିଜ ଇଚ୍ଛାରେ ଆସି ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପୂର୍ବରୁ ଜଗନ୍ନାଥ ମିଡିଆକୁ ମନ୍ତବ୍ୟ ଦେଇଥିଲେ, ଯାହାକୁ ପୁଲିସ୍ ନିରୀକ୍ଷଣ କରୁଥିବା ଦେଖାଯାଇଥିଲା।

ବିଜେଡି ବିଧାୟକ ଅରୁଣ ସାହୁ ଏହାକୁ ଆଇନ ଶୃଙ୍ଖଳାର ବିପର୍ଯ୍ୟୟ ବୋଲି କହିଛନ୍ତି। ସେ କହିଛନ୍ତି, “ଏହା ଏକ ନୂଆ ଏବଂ ଚିନ୍ତାଜନକ ଟ୍ରେଣ୍ଡ। ଯଦି ଦଳ ତାଙ୍କୁ ନିଲମ୍ବନ ନକରେ, ତାହାହେଲେ ଲୋକେ ସରକାରକୁ ହାସ୍ୟାସ୍ପଦ କରିବେ। ସରକାର ଲୋକ ଓ ଅଧିକାରୀଙ୍କ ଚାପରେ ନିଷ୍ପତ୍ତି ନେଇଛନ୍ତି, ଯାହା ଏକ ଖରାପ ସଙ୍କେତ।”

ସାହୁ ଆହୁରି କହିଛନ୍ତି ଯେ, ସରକାର ଯଦି ଏହି ଘଟଣା ପରେ ଅନେକ ଅଧିକାରୀଙ୍କୁ ବଦଳି କରନ୍ତି କିମ୍ବା ଦଣ୍ଡିତ କରନ୍ତି, ତାହାହେଲେ ଲୋକେ ସେମାନଙ୍କୁ କ୍ଷମା କରିବେ ନାହିଁ। ଏହି ବିବାଦ ଓଡିଶା ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି କରିଛି।