ରେମୁଣାର ଐତିହାସିକ ଓ ପ୍ରାକୃତିକ ସ୍ଥଳୀକୁ ନେଇ ପର୍ଯ୍ୟଟନ କରିଡର ପ୍ରତିଷ୍ଠା ଦାବି
ବାଲେଶ୍ବର :(ସଂକେତ ଟିଭି) ରେମୁଣାରେ ଥିବା ବିଭିନ୍ନ ଐତିହାସିକ, ପୌରାଣିକ, ଆଧ୍ୟାତ୍ମିକ ପୀଠସ୍ଥଳୀ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ଏକ ପର୍ଯ୍ୟଟନ କରିଡର ବିକାଶ କରିବାକୁ ‘ପର୍ଯ୍ୟଟନ ବିକାଶ ମଞ୍ଚ, ରେମୁଣା’ ଉଦ୍ୟମ ଜାରି ରଖିଛି । ଏହି କରିଡର ମାଧ୍ୟମରେ ଅଞ୍ଚଳର ପ୍ରସିଦ୍ଧ ଧାର୍ମିକ ଓ ପ୍ରାକୃତିକ ସ୍ଥଳୀଗୁଡିକୁ ସଂଯୋଗ କରାଯିବ ।
ଗତ ସପ୍ତାହରେ ମଞ୍ଚ ପକ୍ଷରୁ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭେଟି ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଥିଲା । ସେଥିରେ ଏକ ଦାବିପତ୍ର ମଧ୍ୟ ସମର୍ପଣ କରାଯାଇଥିଲା । ଆଜି ମଞ୍ଚର କର୍ମକର୍ତ୍ତାମାନେ ରେମୁଣା ବିଧାୟକ ଓ ରାଜ୍ୟର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରଙ୍କୁ ଭେଟି ଏହି ପ୍ରକଳ୍ପ ପାଇଁ ତୁରନ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ ।
ଜିଲ୍ଲାପାଳ ଏହି ଦାବିପତ୍ର ଗ୍ରହଣ କରି କରିଡର ଅନ୍ତର୍ଭୁକ୍ତ ସ୍ଥାନଗୁଡିକୁ ନିଜେ ପରିଦର୍ଶନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଉଦ୍ୟମରେ ମଞ୍ଚର ଆବାହକ ସାମ୍ବାଦିକ ସୁରେଶ ଦାସ, ସମ୍ପାଦକ ଅଦୈତ୍ୟ କୁମାର ଦାସ, ଶିଳ୍ପୀ କେଶୁ ଦାସ, ବିନୋଦ କୁମାର ଦାସ ଏବଂ ଦେବେନ୍ଦ୍ର ମଣ୍ଡଳ ଆଦି ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରେମୁଣାର ଦୁର୍ଗାଦେବୀ, ଭୀମେଶ୍ଵର, କନକଦୁର୍ଗା, କ୍ଷୀରଚୋରା ସଂଲଗ୍ନ ପଂଚତୀର୍ଥ, ସୋନ-ଗଙ୍ଗାହର-ବୁଢ଼ାବଳଙ୍ଗର ସଙ୍ଗମସ୍ଥଳ ତ୍ରିବେଣୀ ଏବଂ ପ୍ରସିଦ୍ଧ ଟୀକାକାର ପଣ୍ଡିତ ଶ୍ରୀଧର ସ୍ୱାମୀ ଓ ବଳଦେବ ବିଦ୍ୟାଭୂଷଣଙ୍କ ଜନ୍ମସ୍ଥଳୀକୁ ନେଇ ଏହି କରିଡର ଗଠନ କରାଯିବାର ପ୍ରସ୍ତାବ ରହିଛି । ମଞ୍ଚ ପକ୍ଷରୁ ଏହାକୁ ଲକ୍ଷ୍ୟ କରି ବିଭିନ୍ନ ସ୍ତରରେ ଆଲୋଚନା ଓ ପ୍ରୟାସ ଜାରି ରଖାଯାଇଛି ।