CulturalFeaturedLatestNews

ପୁରୀ ହେବ ମହାନଗର ନିଗମ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :(ସଂକେତ ଟିଭି) ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ମହତ୍ତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। ପୁରୀ ସହରକୁ ମହାନଗର ନିଗମରେ ରୂପାନ୍ତରିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରତିଦିନ ଲକ୍ଷଲକ୍ଷ ଭକ୍ତଙ୍କ ଆଗମନ ଏବଂ ସହରର ବୃଦ୍ଧିଶୀଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀରେ ଏକ ବିଶ୍ଵସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପାଠାଗାର ଏବଂ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ। ଏହା ଜଗନ୍ନାଥ ସଂସ୍କୃତି, ଇତିହାସ ଏବଂ କିମ୍ବଦନ୍ତୀର ପ୍ରଚାର ପ୍ରସାରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ବର୍ତ୍ତମାନ ରାଜ୍ୟରେ ଭୁବନେଶ୍ଵର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲାରେ ମହାନଗର ନିଗମ ଅଛି। ପୁରୀକୁ ଏହି ତାଲିକାରେ ଯୋଡ଼ିବା ପରେ ସହରର ଆକାର ବୃଦ୍ଧି ପାଇବ ଏବଂ ନାଗରିକମାନଙ୍କୁ ଉନ୍ନତ ସୁବିଧା ମିଳିବ। ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ଅଧିକ ଉନ୍ନତ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀ ଆଉ ଏକ ସାଧାରଣ ପୌରସଭା ଭାବରେ ସୀମିତ ରହିବ ନାହିଁ। ଏହାର କଳେବର ବିସ୍ତାର ହେବ ଏବଂ ଓଡ଼ିଆ ଅସ୍ମିତାକୁ ବଳିଷ୍ଠ କରାଯିବ। ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ୭-୮ଟି ଗ୍ରାମ ପଞ୍ଚାୟତକୁ ନୂତନ ମହାନଗର ନିଗମରେ ଅନ୍ତର୍ଭୁକ୍ତ କରାଯିବ, ଯାହା ଫଳରେ ସେଠାକାର ଲୋକେ ସହରୀ ସୁବିଧା ପାଇବେ।

୨୦୩୬ ସୁଦ୍ଧା ପୁରୀକୁ ଭାରତର ଏକ ପ୍ରମୁଖ ଧାର୍ମିକ ଏବଂ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଉଦ୍ଦେଶ୍ୟରେ ଅନେକ ନୂତନ ପ୍ରକଳ୍ପ ହାତଧରା ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏକ ସବୁଜ, ସୁନ୍ଦର ଓ ବିକଶିତ ପୁରୀ ବିନା ସମୃଦ୍ଧ ଓଡ଼ିଶାର କଳ୍ପନା ଅସମ୍ଭବ।” ଆଜିର ଘୋଷଣା ସରକାରଙ୍କ ଦୀର୍ଘମିଆଦୀ ପରିକଳ୍ପନାର ଏକ ଅଂଶ।