ରାଜ୍ୟ ବିଜେପି ସଭାପତି ନିର୍ବାଚନର ସମୟସାରଣୀ ଘୋଷଣା
ଭୁବନେଶ୍ବର :(ସଂକେତ ଟିଭି)ରାଜ୍ୟ ବିଜେପି ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ପାଇଁ ସମୟସାରଣୀ ଘୋଷଣା କରାଯାଇଛି। ଏହି ନିର୍ବାଚନ ଆସନ୍ତା ୬ ଜୁଲାଇରୁ ଆରମ୍ଭ ହୋଇ ୮ ଜୁଲାଇରେ ଶେଷ ହେବ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଏବଂ ନିର୍ବାଚନ ଅଧିକାରୀ ଡ. ଯତୀନ ମହାନ୍ତି ଏହି ସୂଚନା ଦେଇଛନ୍ତି।
ଡ. ମହାନ୍ତି କହିଛନ୍ତି ଯେ, ପୂର୍ବରୁ ସ୍ଥାନୀୟ, ମଣ୍ଡଳ ଏବଂ ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇସାରିଛି। ବର୍ତ୍ତମାନ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ୬ ଜୁଲାଇ ପୂର୍ବାହ୍ନ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶିତ ହେବ। ମଧ୍ୟାହ୍ନ ୧୨ଟାରୁ ୨ଟା ଯାଏଁ ଏହି ସୂଚୀ ଉପରେ ଆପତ୍ତି ଓ ଅଭିଯୋଗ ଯାଞ୍ଚ କରାଯିବ। ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ ପାଇବ।
୭ ଜୁଲାଇ ପୂର୍ବାହ୍ନ ୧୧ଟାରୁ ୨ଟା ଯାଏଁ ନାମାଙ୍କନ ପତ୍ର ଦାଖଲ କରାଯିବ। ମଧ୍ୟାହ୍ନ ୨ଟାରୁ ୩ଟା ମଧ୍ୟରେ ନାମାଙ୍କନ ସମ୍ପର୍କିତ ଆପତ୍ତି ଯାଞ୍ଚ କରାଯାଇ, ୪ଟା ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ ଏବଂ ଚିହ୍ନ ଆବଣ୍ଟନ କରାଯିବ। ଆବଶ୍ୟକ ସ୍ଥଳେ ୮ ଜୁଲାଇ ସକାଳ ୯ଟାରୁ ୧୧ଟା ଯାଏଁ ମତଦାନ ହେବ ଏବଂ ୧୧ଟା ୩୦ ମିନିଟ୍ ସୁଦ୍ଧା ଫଳାଫଳ ଘୋଷଣା କରାଯିବ।
ଡ. ମହାନ୍ତି ନିର୍ବାଚନ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପନ୍ନ କରାଯିବା ପାଇଁ ସମସ୍ତ ଆବଶ୍ୟକ ପ୍ରସ୍ତୁତି କରାଯାଇଛି ବୋଲି ଜଣାଇଛନ୍ତି।