୨୦ ବର୍ଷ ପରେ ଏକ ହେଲେ ଉଦ୍ଧବ-ରାଜ ଠାକରେ
ମୁମ୍ବାଇ:(ସଂକେତ ଟିଭି): ବହୁ ବର୍ଷ ପରେ ଆଜି ମହାରାଷ୍ଟ୍ରରେ ଏକ ନୂତନ ରାଜନୈତିକ ଚିତ୍ର ଦେଖାଯାଇଛି। ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଅଧ୍ୟକ୍ଷ ରାଜ ଠାକରେ ୨୦ ବର୍ଷ ପରେ ଆଜି ଏକ ମଞ୍ଚରେ ଏକାଠି ଦେଖାଦେଇଛନ୍ତି। ମରାଠୀ ଭାଷା ପାଇଁ ଉଭୟ ଭାଇ ସେମାନଙ୍କର ସମସ୍ତ ରାଜନୈତିକ ବିବାଦ ଭୁଲି ଏକତା ପ୍ରଦର୍ଶନ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ହିନ୍ଦୀକୁ ତୃତୀୟ ଭାଷା ଭାବରେ ଲାଗୁ କରିବାର ନିଷ୍ପତ୍ତି ବିରୋଧରେ ଆୟୋଜିତ ଏହି ରାଲିରେ ଉଭୟ ନେତା ପରସ୍ପରକୁ ଆଲିଙ୍ଗନ କରି ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଥିଲେ।
ରାଜ ଠାକରେ ତାଙ୍କ ଭାଷଣରେ ସ୍ପଷ୍ଟ କରିଛନ୍ତି ଯେ ସେ ହିନ୍ଦୀ ବିରୋଧୀ ନୁହଁନ୍ତି, କିନ୍ତୁ କୌଣସି ଭାଷାକୁ ବାଧ୍ୟତାମୂଳକ କରିବା ଠିକ୍ ନୁହେଁ। “ଭାଷା ଶିଖିବା ଲୋକଙ୍କ ନିଜସ୍ୱ ବାଛିବାର ଅଧିକାର। କ୍ଷମତା ବଳରେ ଏହାକୁ ଜନତା ଉପରେ ଚାପିଦେବା ଗଣତନ୍ତ୍ରର ମୂଲ୍ୟବୋଧ ବିରୋଧୀ,” ତାଙ୍କ ମତ। ସେ ଆହୁରି କହିଛନ୍ତି, “ଯଦି କେହି ମହାରାଷ୍ଟ୍ରକୁ ଚ୍ୟାଲେଞ୍ଜ କରେ, ଆମେ ସାମ୍ନା କରିବୁ। ୨୦ ବର୍ଷ ପରେ ଆମେ ଏକାଠି ହୋଇଛୁ।”
ଉଦ୍ଧବ ଠାକରେ ଏହି ଅବସରରେ ଭାଜପାକୁ ଲକ୍ଷ୍ୟ କରି କହିଛନ୍ତି, “ଭାଜପା ଗୁଜରାଟ ମଡେଲକୁ ମହାରାଷ୍ଟ୍ରରେ ଜବରଦସ୍ତି ଚାପିଦେବାକୁ ଚାହୁଁଛି। କେଶରୀ ରଙ୍ଗ ଆମ ଜାତୀୟ ପତାକା ନୁହେଁ। ଆମେ ହିନ୍ଦୁତ୍ୱକୁ କେବେ ଛାଡିନାହୁଁ, କିନ୍ତୁ ହିନ୍ଦୀକୁ ବାଧ୍ୟତାମୂଳକ କରିବା ଆମେ ସ୍ୱୀକାର କରିବୁ ନାହିଁ।” ମହାରାଷ୍ଟ୍ରର ଶିଳ୍ପ ଓ ସଂସ୍କୃତି ଉପରେ ଭାଜପା ଆକ୍ରମଣ ବିରୋଧରେ ମଧ୍ୟ ସେ ସ୍ପଷ୍ଟ ସ୍ବରରେ କଥା କହିଛନ୍ତି।
ଆଗାମୀ ପୌର ନିର୍ବାଚନ ପୂର୍ବରୁ ଠାକରେ ଭାଇମାନଙ୍କ ଏହି ମିଳିତ ରାଲି ରାଜ୍ୟର ରାଜନୀତିରେ ଏକ ନୂଆ ମୋଡ଼ ଆଣିପାରେ। ମରାଠୀ ଅସ୍ମିତା ଓ ଭାଷାଗତ ଅଧିକାର ପାଇଁ ଏହି ଏକତା ଶିବସେନା ଓ MNS ସମର୍ଥକଙ୍କୁ ଏକାଠି କରିବା ସହ ବିରୋଧୀ ଦଳମାନଙ୍କ ପାଇଁ ମଧ୍ୟ ଏକ ଚିନ୍ତାର ବିଷୟ ହୋଇପାରେ। ଏହି ମେଳାପ କେବଳ ମଞ୍ଚ ପର୍ଯ୍ୟନ୍ତ ସୀମିତ ରହିବ ନା ନିର୍ବାଚନୀ ସମୟରେ ରାଜନୈତିକ ମତାନ୍ତର ଆଣିବ, ତାହା ଆଗାମୀ ଦିନଗୁଡ଼ିକରେ ସ୍ପଷ୍ଟ ହେବ।