FeaturedLatestNews

 ଆମ ସରକାରରେ ଯିଏ ଦୋଷ କରିବ, ସେ ଦଣ୍ଡ ନିଶ୍ଚିତ ପାଇବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ୍ ଟିଭି) ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପାଳିକାରେ ସପ୍ତାହେ ତଳେ ଘଟିଥିବା ଏକ ଆପତ୍ତିଜନକ ଘଟଣା ଉପରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ଏହି ଘଟଣାରେ ବିଜେଡି ନେତାମାନେ ନିର୍ବାହୀ ଅଧିକାରୀ (ଓଆର୍‌ଏସ୍‌)ଙ୍କୁ ତାଙ୍କ କାର୍ଯ୍ୟାଳୟରେ ବନ୍ଦ କରି ୮ ଘଣ୍ଟା ଧରି ଅଟକ ରଖିଥିଲେ। ଅଧିକାରୀଙ୍କ ଅନୁସାରେ, ସେମାନେ ତାଙ୍କୁ ଔଷଧ ଖାଇବାକୁ ମଧ୍ୟ ଅନୁମତି ଦେଇନଥିଲେ।

ଆଇନ ମନ୍ତ୍ରୀ ଏହି ଘଟଣାକୁ ଗମ୍ଭୀର ଭାବେ ନେଇ କହିଛନ୍ତି ଯେ ସରକାର କୌଣସି ଅନୈତିକ କାର୍ଯ୍ୟକୁ ସହ୍ୟ କରିବେ ନାହିଁ। ସେ କହିଛନ୍ତି, “ଆମ ସରକାରରେ ଯିଏ ଦୋଷ କରିବ, ସେ ଦଣ୍ଡ ନିଶ୍ଚିତ ପାଇବ। ଏହି ଘଟଣାରେ ଜଡିତ ଯେକୌଣସି ବ୍ୟକ୍ତିଙ୍କୁ ନ୍ୟାୟାଳୟ ମାଧ୍ୟମରେ ଦଣ୍ଡିତ କରାଯିବ।” ସେ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ନ୍ୟାୟ ପ୍ରଦାନ କରାଯିବ।

ଅନ୍ୟପଟେ, ଓଡିଶା ଓଆରଏସ୍ ସଙ୍ଘର ସଭାପତି କନିସ୍କ ବୋଧସତ୍ତ୍ୱ ଦାସ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ମୁଁ ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରୁଛି ଏବଂ ସ୍ଥାନୀୟ ଜିଲ୍ଲାପାଳ ଓ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛି। ସେମାନେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଯଦି କୌଣସି ପଦକ୍ଷେପ ନିଆନଯାଏ, ତେବେ ସଙ୍ଘ ନିଜ ପଦକ୍ଷେପ ନେବ।”

ଉଲ୍ଲେଖନୀୟ ଯେ, ଓଆର୍‌ଏସ୍‌ ଅଧିକାରୀ ଏହି ଘଟଣା ବାବଦରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି। ତଥାପି, ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ବିଳମ୍ବିତ ନ୍ୟାୟ ପ୍ରତି ସାମାଜିକ ସଂଗଠନଗୁଡ଼ିକର ଆକ୍ରୋଶ ବଢ଼ିବାର ଦେଖାଯାଉଛି।