FeaturedLatestNewsPolitics

ରାଜ୍ୟ ବିଜେପି ସଭାପତି ପଦପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମନମୋହନ

ଭୁବନେଶ୍ବର (ସଂକେତ୍ ଟିଭି) ରାଜ୍ୟ ବିଜେପି ସଭାପତି ପଦପାଇଁ ମନମୋହନ ସାମଲ ଆଜି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ଏହି ପଦପାଇଁ ନାମାଙ୍କନ କରିଛନ୍ତି।

ନାମାଙ୍କନ ପତ୍ର ଯାଞ୍ଚ କାଲି ସକାଳ ୧୦ଟାରୁ ୧୧ଟା ମଧ୍ୟରେ ହେବ ବୋଲି ଜଣାଯାଇଛି। ଏହାପରେ ଆସନ୍ତାକାଲି ରାଜ୍ୟ ବିଜେପି ସଭାପତି ଘୋଷଣା କରାଯିବ। ସଭାପତି ପଦପାଇଁ ମନମୋହନ ସାମଲଙ୍କ ପ୍ରାର୍ଥନାପତ୍ର ବ୍ୟତୀତ ଆଉ କୌଣସି ପ୍ରାର୍ଥୀ ନାହାନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପଦପାଇଁ ୩୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।

ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ. କେ. ଲକ୍ଷ୍ମଣଙ୍କ ନିର୍ଦ୍ଦେଶ ଅନୁଯାୟୀ, ନାମାଙ୍କନ ସମ୍ପର୍କିତ ଆପତ୍ତି ଓ ଅଭିଯୋଗ ଯାଞ୍ଚ ସୋମବାର ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ହେବ। ଚୂଡ଼ାନ୍ତ ସୂଚୀ ଅପରାହ୍ନ ୪ଟା ସୁଦ୍ଧା ପ୍ରକାଶ ପାଇବ ଏବଂ ପ୍ରାର୍ଥୀଙ୍କୁ ଚିହ୍ନ ଆବଣ୍ଟନ କରାଯିବ। ଆବଶ୍ୟକସ୍ଥଳେ, ୮ ତାରିଖ ସକାଳ ୯ଟାରୁ ୧୧ଟା ମଧ୍ୟରେ ମତଦାନ ହେବ ଏବଂ ଅପରାହ୍ନ ୧୧ଟା ୩୦ ସୁଦ୍ଧା ଫଳାଫଳ ଘୋଷଣା କରାଯିବ।

ଏହି ନିର୍ବାଚନ ପ୍ରକ୍ରିୟାର ସୁଚାରୁ ପରିଚାଳନା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ବାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି ଯେ ଏହି ନିର୍ବାଚନ ପ୍ରକ୍ରିୟା ୮ ତାରିଖରେ ସମାପ୍ତ ହେବ।