FeaturedLatestSports

ବିରାଟ-ରୋହିତଙ୍କ ଦିନିକିଆ ଅବସର ଚର୍ଚ୍ଚାକୁ ବିସିସିଆଇ ର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ (ସଂକେତ ଟିଭି): ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ସମୟରେ ଟେଷ୍ଟ କ୍ରିକେଟରୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅବସର ପରଠାରୁ ଏବେ ସେମାନଙ୍କ ଦିନିକିଆ ଅବସର ନେବା ନେଇ ଚର୍ଚ୍ଚା ଚାଲିଥିଲା। ଏହି ଚର୍ଚ୍ଚାକୁ ପ୍ରତ୍ୟକ୍ଷ ଭାବେ ଖାରଜ କରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସ୍ପଷ୍ଟ କରିଛନ୍ତି ଯେ ଉଭୟ ଖେଳାଳି ଏବେ ଦିନିକିଆ କ୍ରିକେଟରୁ ଅବସର ନେବେ ନାହିଁ ଏବଂ ଟିମ୍ ଇଣ୍ଡିଆ ପାଇଁ ଖେଳିବେ।

UP T20 ଲିଗ୍ ଅବସରରେ ଏକ ଟକ୍ ଶୋରେ ରାଜୀବ ଶୁକ୍ଲା କହିଛନ୍ତି, “ଲୋକମାନେ ଉଭୟ ଖେଳାଳିଙ୍କ ବିଷୟରେ ଏତେ ଚିନ୍ତିତ କାହିଁକି? BCCI କେବେ କୌଣସି ଖେଳାଳିଙ୍କୁ ଅବସର ନେବାକୁ କୁହେ ନାହିଁ। ଏହି ନିଷ୍ପତ୍ତି ସେମାନଙ୍କୁ ନେବାକୁ ପଡିବ।” ତାଙ୍କ ମତରେ, ଅବସର ନେବା ପାଇଁ ଯେତେବେଳେ ସଠିକ୍ ସମୟ ଆସିବ, ଖେଳାଳିମାନେ ସ୍ୱୟଂ ଏହି ସିଦ୍ଧାନ୍ତ ନେବେ।

ସେ ଆହୁରି ମଧ୍ୟ ଜୋର୍ ଦେଇ କହିଛନ୍ତି ଯେ ବିରାଟ କୋହଲି ବର୍ତ୍ତମାନ ମଧ୍ୟ ଟିମ୍ର ସବୁଠାରୁ ଫିଟ୍ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ଏବଂ ରୋହିତ ଶର୍ମା ଜଣେ ଚମତ୍କାର ଦିନିକିଆ ଖେଳାଳି। ତେଣୁ ଉଭୟଙ୍କ ଅବସର ବିଷୟରେ ଚିନ୍ତା କରିବା ଅନାବଶ୍ୟକ।

ଏହି ବିବୃତ୍ତିରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ବିରାଟ କୋହଲି ଏବଂ ରୋହିତ ଶର୍ମା ୧୯ରୁ ୨୫ ଅକ୍ଟୋବର ମଧ୍ୟରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ସିରିଜ୍ରେ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଭାବରେ ଖେଳିବେ।