FeaturedLatestNews

ଖରିଆର ରୋଡକୁ ମ୍ୟୁନିସିପାଲିଟି ଏବଂ କୋମନା ଓ ସିନାପାଲିକୁ ଏନଏସି ଘୋଷଣା

ନୂଆପଡ଼ା (ସଂକେତ ଟିଭି): ନୂଆପଡ଼ାରେ ଆୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପାଇଁ ଏକ ବଡ଼ ଆର୍ଥିକ ପ୍ୟାକେଜ୍ ଏବଂ କେତେକ ପ୍ରଶାସନିକ ମାନ୍ୟତା ଘୋଷଣା କରିଛନ୍ତି। ଜିଲ୍ଲା ପାଇଁ ୧୧୦୧ କୋଟି ଟଙ୍କାର ଏକ ପ୍ରକଳ୍ପ ପ୍ୟାକେଜ୍ ଘୋଷଣା କରାଯାଇଛି। ଏଥିସହ ଖରିଆର ରୋଡ୍କୁ ପୌର ପରିଷଦ (ମ୍ୟୁନିସିପାଲିଟି) ଏବଂ କୋମନା ଓ ସିନାପାଲିକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସ୍‌ସି) ମାନ୍ୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ତଥା ୯୫୭ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଜଳସେଚନ କ୍ଷେତ୍ରକୁ ଲକ୍ଷ୍ୟ କରି ୮୦୦ କୋଟି ଟଙ୍କାର ଏକ ପ୍ରକଳ୍ପ ମଧ୍ୟ ଘୋଷିତ ହୋଇଛି, ଯାହାକୁ ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି। ଏହିସହ ସିନାପାଲି ଓ କୋମନାରେ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲାଯିବ ବୋଲି ମଧ୍ୟ ଜଣାଯାଇଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ ପୂର୍ବତନ ସରକାରଙ୍କ ଅନାଗ୍ରହ ଯୋଗୁଁ ନୂଆପଡ଼ା ଜିଲ୍ଲାର ଯେଉଁ ପରିମାଣର ବିକାଶ ହେବା କଥା ଥିଲା, ତାହା ହୋଇପାରି ନାହିଁ। ବର୍ତ୍ତମାନର ବିଜେଡୁ-ବିଜେପି ସରକାର ସମସ୍ତ ଜିଲ୍ଲାକୁ ସମାନ ଦୃଷ୍ଟିରେ ଦେଖୁଛନ୍ତି ଏବଂ ଜିଲ୍ଲାବାସୀଙ୍କ ସମସ୍ତ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ଭାବରେ ଉପସ୍ଥିତ ଥିଲେ। ତେବେ ଖରିଆର ବିଧାୟକ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।