FeaturedGeneralLatest

୪ ବର୍ଷ ପରେ କାବୁଲରେ ଖୋଲିବ ଭାରତୀୟ ଦୂତାବାସ

ନୂଆଦିଲ୍ଲୀ (ସଂକେତ ଟିଭି): ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଅମୀର ଖାନ୍ ମୁତ୍ତାକି ଏକ ସପ୍ତାହର ଭାରତ ଗସ୍ତରେ ଦିଲ୍ଲୀ ପହଞ୍ଚିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ତାଙ୍କ ଉପରେ ଲଗାଇଥିବା ଯାତ୍ରା କଟକଣା କୁ କୋହଳ କରିବା ପରେ ସେ ଏହି ଗସ୍ତ କରିଛନ୍ତି। ୨୦୨୧ରେ ତାଲିବାନ କ୍ଷମତାରେ ଆସିବା ପରେ ଏହା କୌଣସି ତାଲିବାନ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ।

ଆଜି ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। ଜୟଶଙ୍କର ଘୋଷଣା କରିଛନ୍ତି ଯେ କାବୁଲରେ ଥିବା ଭାରତୀୟ ବୈଷୟିକ ମିଶନକୁ ବର୍ତ୍ତମାନ ଭାରତୀୟ ଦୂତାବାସର ମାନ୍ୟତା ଦିଆଯିବ। ୨୦୨୧ରେ ତାଲିବାନ କ୍ଷମତାକୁ ଫେରିବା ପରେ ଭାରତ ନିଜର ଦୂତାବାସ ବନ୍ଦ କରି ଦେଇଥିଲା। ପରେ ବାଣିଜ୍ୟ, ଚିକିତ୍ସା ଓ ମାନବିକ ସହାୟତା ସୁଗମ କରିବା ପାଇଁ ଏକ ଛୋଟ ମିଶନ ଖୋଲିଥିଲା, ଯାହାକୁ ବର୍ତ୍ତମାନ ପୂର୍ଣ୍ଣ ଦୂତାବାସର ମର୍ଯ୍ୟାଦା ଦିଆଗଲା।

ବିଦେଶ ମନ୍ତ୍ରୀ ଜୟଶଙ୍କର ଆଫଗାନ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରି କହିଛନ୍ତି ଯେ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତ କରିବା ଓ ସ୍ଥାୟୀ ବନ୍ଧୁତା ପୁନର୍ନିର୍ମାଣରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ତାଙ୍କ କହିବା ଅନୁଯାୟୀ, ଏକ ନିକଟତମ ପଡ଼ୋଶୀ ଓ ଆଫଗାନ ଲୋକଙ୍କ ଶୁଭେଚ୍ଛୁ ଭାବରେ ଆଫଗାନିସ୍ତାନର ବିକାଶ ଓ ପ୍ରଗତିରେ ଭାରତର ଗଭୀର ଆଗ୍ରହ ରହିଛି। ସ୍ୱାସ୍ଥ୍ୟସେବା, ଭୂମିକମ୍ପ ଭଳି ବିପର୍ଯ୍ୟୟରେ ସହାୟତା ଏବଂ ଖାଦ୍ୟ ସହାୟତା ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତ ଆଫଗାନ ଲୋକଙ୍କୁ ସହାୟତା ପ୍ରଦାନ କରି ଆସିଛି।