୩୨ ଦିନ ପରେ ଓଡିଶା ଫେରିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର (ସଂକେତ ଟିଭି): ବିରୋଧୀ ଦଳ ନେତା ଏବଂ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ୩୨ ଦିନ ରହିବା ପରେ ଆଜି ଓଡିଶା ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଉତ୍ସାହର ସହିତ ସ୍ଵାଗତ କରିଛନ୍ତି ।
ନବୀନ ପଟ୍ଟନାୟକ ସେପ୍ଟେମ୍ବର ୭ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନୂଆଦିଲ୍ଲୀ ଯାଇଥିଲେ । ତାଙ୍କ ଏହି ଦୀର୍ଘଦିନିଆ ପ୍ରବାସରେ ଦଳୀୟ ସାଂସଦଙ୍କ ସହ ଆଲୋଚନା, ବିଭିନ୍ନ ସାମାଜିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦାନ ଅନ୍ତର୍ଭୁକ୍ତ ଥିଲା । ସେପ୍ଟେମ୍ବର ୨୭ ତାରିଖରେ ତାଙ୍କୁ ନୂଆଦିଲ୍ଲୀର ବିକାନେର ହାଉସରେ ଆୟୋଜିତ ‘ହାର୍ଟ ବିଟ୍ସ’ ବନ୍ୟଜନ୍ତୁ ସଂରକ୍ଷଣ ପ୍ରଦର୍ଶନୀ ପରିଦର୍ଶନ କରିବାର ଦେଖାଯାଇଥିଲା । ଖାନ ମାର୍କେଟରୁ ପୁସ୍ତକ କ୍ରୟ କରିବା ଭଳି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ମଧ୍ୟ ସେ ବ୍ୟସ୍ତ ଥିଲେ ।
ନବୀନଙ୍କ ଅନୁପସ୍ଥିତିରେ ବିଜେଡିର ଗତକାଲି ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ତାଙ୍କ ବିନା ଅନୁଷ୍ଠିତ ହୋଇଥିଲା, ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଶୁରୁ ହୋଇଥିଲା । ଅନ୍ୟପକ୍ଷରେ, ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜି ସରିବା ସହିତ କଂଗ୍ରେସ ନିଜ ପ୍ରାର୍ଥୀ ଘୋଷଣା କରିସାରିଛି, କିନ୍ତୁ ବିଜେଡି ଏଯାବତ୍ ତାହା କରିନାହିଁ । ନବୀନଙ୍କ ଓଡିଶା ଫେରିବା ସହିତ ନୂଆପଡା ପାଇଁ ବିଜେଡି ପ୍ରାର୍ଥୀଙ୍କ ନାଁ ଶୀଘ୍ର ଘୋଷିତ ହେବା ସମ୍ଭାବନା ସୃଷ୍ଟି ହୋଇଛି ।
ଜଣାଯାଏ, ସର୍ଭିକାଲ ଆର୍ଥ୍ରାଇଟିସ ସମସ୍ୟାରେ ପୀଡିତ ନବୀନ ପଟ୍ଟନାୟକଙ୍କର ଗତ ଜୁନ ମାସରେ ମୁମ୍ବାଇସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଥିଲା । ଜୁଲାଇ ୭ ତାରିଖରେ ସେ ଡିସଚାର୍ଜ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଡିହାଇଡ୍ରେସନ ପାଇଁ ଭୁବନେଶ୍ୱରରେ ଚିକିତ୍ସିତ ହୋଇଥିଲେ ।
