ଭଦ୍ରକରେ କାଳୀପୂଜା ଉତ୍ସବ ୭ ରୁ ୯ ଦିନକୁ ବଢ଼ିଲା
ଭଦ୍ରକ (ସଂକେତ ଟିଭି): ଭଦ୍ରକର ଐତିହାସିକ କାଳୀପୂଜା ଉତ୍ସବର ସମୟସୀମା ବୃଦ୍ଧି ପାଇଲା । ପୂର୍ବରୁ ୭ ଦିନ ଧରି ପାଳିତ ହେଉଥିବା ଏହି ପୂଜା ଏବାର ୯ ଦିନ ଧରି ଅନୁଷ୍ଠିତ ହେବ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ନିଷ୍ପତ୍ତିର ସୂଚନା ଦେଇଛନ୍ତି ।
ପୂଜା କମିଟିର ଏକ ବୈଠକରେ ଏହି ସଂକଳ୍ପ ଗ୍ରହଣ କରାଯାଇଛି । ଦୀର୍ଘ ବର୍ଷ ଧରି ପାଳିତ ହୋଇଆସୁଥିବା ଭଦ୍ରକର କାଳୀପୂଜାକୁ ଏଥର ଅଧିକ ଭବ୍ୟ ଏବଂ ଦିବ୍ୟ ରୂପ ଦିଆଯିବ । ଏହି ଉଦ୍ଦେଶ୍ୟରେ ପୂଜା ମହୋତ୍ସବର ସମୟସୀମା ୭ ଦିନରୁ ବୃଦ୍ଧି କରି ୯ ଦିନ କରାଯିବା ସହିତ ଅକ୍ଟୋବର ୨୯ ତାରିଖରେ ଭସାଣ ଉତ୍ସବ ପାଳନ କରାଯିବା ସ୍ଥିର କରାଯାଇଛି ।
ଏହି ଅନୁଷ୍ଠାନରେ ସଂସ୍କୃତି ବିଭାଗ ପକ୍ଷରୁ ପୂଜା ମଣ୍ଡପପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଟ୍ରୁପ୍ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ମନ୍ତ୍ରୀଙ୍କ ପକ୍ଷରୁ ଜିଲ୍ଲାର ପ୍ରମୁଖ ୧୦ଟି ମଣ୍ଡପକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାର ଘୋଷଣା କରାଯାଇଛି ।
ବୈଠକରେ ଉପସ୍ଥିତ ଭଦ୍ରକ ଜିଲ୍ଲାପାଳ ଜଣାଇଛନ୍ତି ଯେ ଆଗାମୀ ଦିନଗୁଡ଼ିକରେ ଏକ କମିଟି ଗଠନ କରାଯିବ ଏବଂ ପୂଜାର ସମୟାବଧି ଓ ନିୟମାବଳୀ ନିର୍ଧାରିତ ହେବ । ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ଵ ଆରୋପ କରାଯିବ ।
ଏଥିସହିତ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସୁବିଧା ପାଇଁ ସହରର ଗୋଟିଏ ସ୍ଥାନରେ ଭର୍ଚୁଆଲ ମାଧ୍ୟମରେ କାଳୀପୂଜା ଦର୍ଶନର ବ୍ୟବସ୍ଥା କରାଯିବ । ଏହି ବୈଠକରେ ଭଦ୍ରକର ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ସାଂସଦଙ୍କ ସହିତ ଅନ୍ୟାନ୍ୟ ଗଣମାନ୍ୟବର୍ଗ ଉପସ୍ଥିତ ଥିଲେ ।
