ନୂଆପଡ଼ା ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ, ୧୬ ତାରିଖରେ ନାମାଙ୍କନ
ନୂଆପଡ଼ା (ସଂକେତ ଟିଭି): ନୂଆପଡ଼ା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର ପ୍ରାର୍ଥୀ ଘୋଷଣା କଲା। ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପାର୍ଟି ଏହି ଆସନ ପାଇଁ ପ୍ରାର୍ଥୀ କରିଛି। ଜୟ ଢୋଲକିଆ ଗତ ୧୧ ତାରିଖରେ ବିଜେପିରେ ଯୋଗ ଦେଇଥିଲେ। ଆସନ୍ତା ୧୬ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ।
ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର ଆଜି ପ୍ରକାଶ୍ୟରେ କହିଛନ୍ତି। ସୁଜିତ କୁମାର ଆହୁରି ଦାବି କରିଛନ୍ତି ଯେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏହି ଉପନିର୍ବାଚନରେ ୫୦,୦୦୦ (ପଚାଶ ହଜାର)ରୁ ଅଧିକ ଭୋଟରେ ବିଜୟୀ ହେବେ। ତାଙ୍କ ମତରେ, ବିଜୁ ଜନତା ଦଳ (ବିଜେଡି) ଏଯାଏଁ ପ୍ରାର୍ଥୀ ଘୋଷଣା କରିନଥିବା ଏବଂ କଂଗ୍ରେସକୁ ଲୋକେ ପସନ୍ଦ ନକରିବାରୁ ବିଜେପିଙ୍କ ବିଜୟ ସୁନିଶ୍ଚିତ।
ଜୟ ଢୋଲକିଆଙ୍କ ନାମାଙ୍କନ ପ୍ରକ୍ରିୟା ଆସନ୍ତା ୧୬ ତାରିଖ ଅପରାହ୍ନ ୨:୪୫ ଘଟିକାରେ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ଏହି ଅବସରରେ ଉପସ୍ଥିତ ରହିବେ।
ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଜଣାଇଛନ୍ତି ଯେ ପ୍ରାୟ ୪୦,୦୦୦ (ଚାଳିଶ ହଜାର)ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ସହିତ ଏକ ବିରାଟ ରାଲିରେ ଯାଇ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ। ନାମାଙ୍କନ ପୂର୍ବରୁ, ଦିନ ସାଢ଼େ ୧୧ଟାରେ ନୂଆପଡ଼ାରେ ବିଜେପି ପକ୍ଷରୁ ଏକ ବିଶାଳ ‘ମିଶ୍ରଣ ପର୍ବ’ ଅନୁଷ୍ଠିତ ହେବ, ଯେଉଁଥିରେ ଶହେଟିଏରୁ ଅଧିକ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ୍ ସଭ୍ୟ ଏବଂ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବିଭିନ୍ନ ଦଳ ଛାଡ଼ି ବିଜେପିରେ ଯୋଗ ଦେବେ।
ଏହି ପୃଷ୍ଠଭୂମିରେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୂଆପଡ଼ା ଗସ୍ତରେ ରହି ସମସ୍ତ ପ୍ରଚାର କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନିମନ୍ତେ ତଦାରଖ କରୁଛନ୍ତି।
