FeaturedLatestNewsPolitics

ନୂଆପଡ଼ା ବିକାଶର ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ନୂଆପଡ଼ା (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଉପ-ନିର୍ବାଚନ ପାଇଁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ବିପୁଳ ଭାବରେ ବିଜୟ ପାଇଁ ଆହ୍ୱାନ ଦେଇଛନ୍ତି । ଏହି ସଭାକୁ ବିଜେପିରେ ଅନ୍ୟ ଦଳର ହଜାର ହଜାର କର୍ମୀ ଯୋଗଦାନ କରିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଏହି ରଣହୁଙ୍କାର ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିବ । ସମାବେଶରେ ଯୋଗଦାନକାରୀ ସମସ୍ତ କର୍ମୀଙ୍କୁ ମଧ୍ୟ ତାଙ୍କର ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ମାଝୀ ଏହି ସଭାରେ କାହାର ନାମ ନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ପୂର୍ବ ସରକାର ଉପ-ନିର୍ବାଚନ ସମୟରେ କଥା ଦେଇଥିଲେ ମଧ୍ୟ ତାହା ପାଳନ କରି ନଥିଲେ । ମାତ୍ର, ତାଙ୍କ ସରକାର ଏହାର ବିପରୀତ କରିଛନ୍ତି ବୋଲି ଦାବି କରିଛନ୍ତି । ସେ କହିଛନ୍ତି, “ନିର୍ବାଚନ ସମୟରେ ଯାହା କହିଥିଲୁ ତାହା କରି ଦେଖାଇଛୁ । ମୁଁ ଏହା ଭିତରେ ନୂଆପଡ଼ା ପାଇଁ ୧୧ ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛି । ନୂଆପଡ଼ାକୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବି ଏବଂ ଏବେଠାରୁ ନୂଆପଡ଼ାବାସୀ ଡବଲ ଇଞ୍ଜିନ ସରକାରର ବିକାଶ ଦେଖିବେ ।”

ସଭାରେ ଲୋକଙ୍କ ବିପୁଳ ଯୋଗଦାନକୁ ନୂଆପଡ଼ାବାସୀଙ୍କ ମନୋଭାବର ପ୍ରତୀକ ବୋଲି ଆଖ୍ୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ନୂଆପଡ଼ାର ଦାୟିତ୍ୱ ନିଜେ ନେଇଛନ୍ତି । ବିଜେଡି ଓ କଂଗ୍ରେସ ବର୍ଷ ବର୍ଷ ଧରି କ୍ଷମତାରେ ଥାଇ ମଧ୍ୟ କିଛି କରିପାରି ନଥିବା ଦର୍ଶାଇ ସେ ଜନତାଙ୍କ ସହଯୋଗ ଚାହିଁଛନ୍ତି ଏବଂ ଦାବି କରିଛନ୍ତି ଯେ ବିଜେପିର ବିଜୟ ନିଶ୍ଚିତ ହୋଇସାରିଛି । ସେ ଆହୁରି କହିଛନ୍ତି ଯେ ସେବା ପାଇଁ ଅନେକ ବର୍ଷ ଦରକାର ଏବଂ ତାଙ୍କ ସରକାର ସେଭାବେ କାର୍ଯ୍ୟ କରିବେ ।

ମୁଖ୍ୟମନ୍ତ୍ରୀ ମାଝୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନେଇ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଜୟ ଢୋଲକିଆ ତାଙ୍କ ପିତା ଓ ସାଂସଦ ରାଜେନ୍ଦ୍ର ଢୋଲକିଆଙ୍କ ଅଧୁରା କାମକୁ ସମ୍ପୂର୍ଣ୍ଣ କରିବେ ଏବଂ ନୂଆପଡ଼ାର ବିକାଶ କାର୍ଯ୍ୟ ଆଗେଇ ନେବେ ।