FeaturedLatestNewsPolitics

ନୂଆପଡ଼ା ଉପନିର୍ବାଚନ ପାଇଁ ୪୦ ଜଣିଆ ବିଜେଡି ଷ୍ଟାର୍ ପ୍ରଚାରକ ଟିମ୍ ଘୋଷିତ

ଭୁବନେଶ୍ୱର (ସଂକେତ ଟିଭି): ନୂଆପଡ଼ା ବିଧାନସଭା ଆସନର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ନିଜର ଷ୍ଟାର୍ ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଦଳର ସଭାପତି ଏବଂ ବିରୋଧୀ ଦଳନେତା ନବୀନ ପଟ୍ଟନାୟକଙ୍କ ସମେତ ମୋଟ ୪୦ ଜଣ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ନାମ ସ୍ଥାନ ପାଇଛି।

ଏହି ଷ୍ଟାର୍ ପ୍ରଚାରକ ତାଲିକାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନିରଞ୍ଜନ ପୂଜାରୀ, ଅରୁଣ କୁମାର ସାହୁ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ ଆଦି ବଡ଼ ବଡ଼ ନେତାଙ୍କ ନାମ ରହିଛି। ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ନାମଗୁଡ଼ିକ ମଧ୍ୟରେ ଅତନୁ ସବ୍ୟସାଚୀ ନାୟକ, ସାରଦା ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ସୁଲତା ଦେଓ ଏବଂ ଅନେକ ଯୁବ ନେତା ଅଛନ୍ତି।

ଏହି ଉପନିର୍ବାଚନରେ ପ୍ରଚାର କାର୍ଯ୍ୟକ୍ରମକୁ ସଂଗଠିତ, ଯୋଜନାବଦ୍ଧ ଏବଂ ସଫଳ କରିବା ପାଇଁ ଏହି ବିଶାଳ ଟିମ୍ ଗଠନ କରାଯାଇଛି। ନୂଆପଡ଼ା ଓ କୋମନା ବ୍ଲକରେ ପ୍ରଚାର କାର୍ଯ୍ୟ ତଦାରଖ କରିବା ପାଇଁ ୩୬ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ଖରିଆର୍‌ ରୋଡ ଏନଏସି ଓ ନୂଆପଡ଼ା ଏନଏସି ପାଇଁ ଅଲଗା ଅଲଗା ଦଳ ଗଠନ କରାଯାଇଛି।

ନିର୍ଦ୍ଦିଷ୍ଟ ଦାୟିତ୍ୱ ଅନୁଯାୟୀ, ନୂଆପଡ଼ା ବ୍ଲକ ପାଇଁ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ଡ. ଅରୁଣ କୁମାର ସାହୁ ଆଦିଙ୍କୁ ଦାୟିତ୍ୱ ମିଳିଛି। ନୂଆପଡ଼ା ଏନଏସି ପାଇଁ ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ ଆଦିଙ୍କୁ ଦାୟିତ୍ୱ ଦିଆଯାଇଛି। କୋମନା ବ୍ଲକ ପାଇଁ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧିରାଜ ପାଣିଗ୍ରାହୀ ଆଦି ନେତାମାନେ ଦାୟିତ୍ୱବାନ୍ ହେବେ। ଖରିଆର୍‌ ରୋଡ ଏନଏସି ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ ଆଦିଙ୍କୁ ପ୍ରଚାର ଦାୟିତ୍ୱ ଦିଆଯାଇଛି।