ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ଅର୍ଥ ଜମା
ଭୁବନେଶ୍ୱର (ସଂକେତ ଟିଭି): ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଅର୍ଥ ଜମା କରାଯାଇଛି। ଲୋକସେବା ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତୃତୀୟ ପର୍ଯ୍ୟାୟରେ ୪୮,୬୯୩ ଜଣ ହିତାଧିକାରୀଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା କରାଇଛନ୍ତି।
ଏହି ଯୋଜନା ଅନୁଯାୟୀ, ପ୍ରଥମ କିସ୍ତିରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୪୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏହାପରେ ଦ୍ଵିତୀୟ କିସ୍ତିରେ ୬୫,୦୦୦ ଟଙ୍କା ଏବଂ ତୃତୀୟ କିସ୍ତିରେ ୧୫,୦୦୦ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ରହିଛି। ଘର ନିର୍ମାଣ କାର୍ଯ୍ୟ ୪ ମାସ ଭିତରେ ସମାପ୍ତ କଲେ ଅତିରିକ୍ତ ୨୦,୦୦୦ ଟଙ୍କା ଏବଂ ୬ ମାସ ଭିତରେ ସମାପ୍ତ କଲେ ୧୦,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଭାବରେ ମିଳିବ।
ରାଜ୍ୟ ସରକାର ଏହି ଯୋଜନାରେ ମୋଟ ୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ୍କରିବା ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୬୦,୦୦୦ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୫୦,୦୦୦ ହିତାଧିକାରୀଙ୍କୁ ଚୟନ କରାଯାଇସାରିଛି। କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କ ସହିତ ସିଧାସଳଖ କଥା ହୋଇ ଫିଡବ୍ୟାକ ନେଇଛନ୍ତି।
ଅନ୍ୟତମ କାର୍ଯ୍ୟକ୍ରମ ରୂପେ, ରାଜ୍ୟର ୪୭୧ଟି ପଞ୍ଚାୟତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରତ୍ୟେକ ପଞ୍ଚାୟତ ଭବନ ନିର୍ମାଣ ପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟର ହେବ ଏବଂ ଏଥିରେ ସରପଞ୍ଚଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପଞ୍ଚାୟତ ଅଧିକାରୀଙ୍କ ପାଇଁ ସ୍ଵତନ୍ତ୍ର କୋଠରୀ ରହିବ। ଏହି ଭବନଗୁଡ଼ିକରେ ସମସ୍ତ ପଞ୍ଚାୟତସ୍ତରୀୟ କାର୍ଯ୍ୟ ସମ୍ପାଦିତ ହୋଇପାରିବ।
