FeaturedLatestNews

ଭୁବନେଶ୍ୱରରେ ପାର୍ଟ ପ୍ଲଟ ଜାଲିଆତି: ୩୦୦ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରରେ ପ୍ରାୟ ୧୦ ବର୍ଷର ଅବଧିରେ ୧୦୦ରୁ ଅଧିକ ପାର୍ଟ ପ୍ଲଟ କିଣାବିକାରେ ଜାଲିଆତି କରାଯାଇଥିବା ଜଣାପଡିଛି । ଏହି ଘଟଣା ସଂପର୍କରେ ରାଜସ୍ୱ ବିଭାଗ ପକ୍ଷରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ଏବଂ ଏଥିରେ ୩୦୦ ଜଣ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜଣାଇଛନ୍ତି । ସବ୍-ରେଜିଷ୍ଟ୍ରାର ପଦରେ କାର୍ଯ୍ୟରତ ଏହି ୩୦୦ ଅଧିକାରୀଙ୍କ ବିରୁଦ୍ଧରେ ରାଜସ୍ୱ ବିଭାଗ ଅଭିଯୋଗ ପତ୍ର ଜାରି କରିଛି ।

ମନ୍ତ୍ରୀ ପୂଜାରୀ ଆଗକୁ ଏହି ଧରଣର ସମସ୍ୟା ଆଉ ହେବ ନାହିଁ ବୋଲି ମଧ୍ୟ ଦାବି କରିଛନ୍ତି । ତାଙ୍କ ମତରେ, ଆଗରୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଏଭଳି ସମସ୍ୟାର ସୃଷ୍ଟି ହୋଇଥିଲା । ଏବେ ନଗର ଉନ୍ନୟନ ବିଭାଗ, ଡେଭେଲପମେଣ୍ଟ ଅଥରିଟି ଏବଂ ରେରା (ରିଅଲ୍ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି) କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ରାଜସ୍ୱ ବିଭାଗ ଏଥିପାଇଁ ଏକ ସ୍ପଷ୍ଟିକରଣ ପ୍ରସ୍ତୁତ କରିଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବରେ ଆପାର୍ଟମେଣ୍ଟ ପଞ୍ଜିକରଣ ଅସୁବିଧା ଉପରେ ମଧ୍ୟ ସରକାର କାମ କରୁଛନ୍ତି । ଆପାର୍ଟମେଣ୍ଟ କିଣାବିକା ବର୍ତ୍ତମାନ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି ଏବଂ ଏହା ସମ୍ପର୍କରେ ଅନେକ ଲୋକ ମନ୍ତ୍ରୀଙ୍କୁ ଫୋନ୍ କରି ପଚାରୁଛନ୍ତି । ଏହି ଅସୁବିଧାର ସମାଧାନ ନିମନ୍ତେ ନଗର ଉନ୍ନୟନ ବିଭାଗର ପ୍ରୟାସ ଶେଷ ପର୍ଯ୍ୟାୟରେ ରହିଛି ଏବଂ ନଭେମ୍ବର ମାସ ଶେଷ ସୁଦ୍ଧା ଏହା ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଆଶା କରାଯାଉଛି ।