FeaturedLatestNews

ଆସୁଛି ବାତ୍ୟା ‘ମୋନ୍ଥା’ , ୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୨୭ ତାରିଖ ସକାଳ ବେଳକୁ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ଆକଳନ କରିଛି । ଏହି ସମ୍ଭାବ୍ୟ ବାତ୍ୟାଟିର ନାଁ ‘ମୋନ୍ଥା’ ରଖାଯିବ ବୋଲି ଜଣାଯାଇଛି, ଯାହା ଥାଇଲ୍ୟାଣ୍ଡ ଦେଶ ଦ୍ୱାରା ପ୍ରସ୍ତାବିତ ଏକ ନାମ, ଯାର ଅର୍ଥ ହେଉଛି “ସୁଗନ୍ଧିତ ଫୁଲ” ।

ପାଣିପାଗ ବିଭାଗ ଅନୁଯାୟୀ, ବର୍ତ୍ତମାନ ଥିବା ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ଗତି କରୁଛି । ଏହା ୨୫ ତାରିଖ ବେଳକୁ ଅବପାତ ଏବଂ ୨୬ ତାରିଖ ବେଳକୁ ଏକ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଶେଷରେ ୨୭ ତାରିଖ ସକାଳ ବେଳକୁ ଏହା ଏକ ଘୂର୍ଣ୍ଣିଝଡ଼ର ରୂପ ନେବ ବୋଲି ଆକଳନ କରାଯାଇଛି ।

ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ମତାନୁଯାୟୀ, ଏହି ବାତ୍ୟାର ପ୍ରଭାବ ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ଅନୁଭୂତ ହେବ । ଏହି ସମୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଯାହାସହିତ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ବିଶେଷକରି ଉପକୂଳବର୍ତ୍ତୀ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ।

୨୭ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଓ ମାଲକାନଗିରି ଆଦି ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ୨୮ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ଏବଂ ୨୯ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୩୦ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ଅନୁମାନ କରାଯାଇଛି ।

ମତ୍ସ୍ୟଜୀବୀମାନଙ୍କୁ ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ରାଜସ୍ୱ ମନ୍ତ୍ରୀ ଦର୍ଶନା ମୁଣ୍ଡାଶ୍ରୀ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବାତ୍ୟା ଆଶ୍ରୟସ୍ଥଳ, ଶୁଖିଲା ଖାଦ୍ୟ, ସ୍ୱାସ୍ଥ୍ୟ ସେବା ଏବଂ ଶକ୍ତି ବିଭାଗକୁ ସଜାଗ ରଖାଯାଇଛି । ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ସରକାରଙ୍କ ପକ୍ଷରୁ ଲୋକଙ୍କୁ ଆତଙ୍କିତ ନହେବାକୁ ଅନୁରୋଧ କରାଯାଇଛି ।