ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ଡ୍ରାଇଭର-ହେଲପର୍ ମୃତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନର ୬୦ ନମ୍ବର ଜାତୀୟ ରାଜପଥରେ ଲକ୍ଷ୍ମଣନାଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଘରୋଇ ବସ୍ ପଛରୁ ଏକ ଟ୍ରକ୍କୁ ଧକ୍କା ମାରିବା ଫଳରେ ବସର ଡ୍ରାଇଭର ସେକ୍ ଅବଦୁଲ୍ ଏବଂ ହେଲପର୍ ନରସିଂହ ଖଟୁଆ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ଟିର କ୍ୟାବିନ୍ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଛି ।
ଦୁର୍ଘଟଣାବେଳକୁ ଡଲଫିନ୍ ନାମକ ବସ୍ଟି ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ କୋଲକାତା ଯାତ୍ରା କରୁଥିଲା । ବିଳମ୍ବିତ ରାତିରେ ରାସ୍ତା କଡ଼ରେ ରହିଥିବା ଏକ ଟ୍ରକ୍କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା ବସଟି । ଏହି ଧକ୍କାରେ ବସଟିର ଡ୍ରାଇଭର ଓ ହେଲପର୍ ତତକ୍ଷଣାତ୍ ମୃତ୍ୟୁବରଣ କରିଥିବା ବେଳେ ଏକାଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ଆହତଙ୍କୁ ଉଦ୍ଧାର କରି ଜଳେଶ୍ବର ଏବଂ ବାଲେଶ୍ବର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଜଳେଶ୍ବର ପୋଲିସ୍ ତଦନ୍ତ କାର୍ଯ୍ୟ ଚଳାଇଛି ଏବଂ ଦୁର୍ଘଟଣାର କାରଣ ଅନୁଧ୍ୟାନ କରୁଛି ।
