ନଭେମ୍ବର ୩ ଯାଏଁ ବୃଦ୍ଧି ପାଇଲା ଯୁକ୍ତ-୨ ଫର୍ମ ପୂରଣ ତାରିଖ
ଭୁବନେଶ୍ୱର (ସଂକେତ ଟିଭି): ୨୦୨୬ ଶିକ୍ଷାବର୍ଷ ପାଇଁ ଯୁକ୍ତ-୨ ପରୀକ୍ଷାର ଫର୍ମ ପୂରଣ ତାରିଖକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ଫର୍ମ ପୂରଣ ଅବଧି ବର୍ତ୍ତମାନ ନଭେମ୍ବର ୩ ତାରିଖ ଯାଏଁ ରହିଛି।
ପୂର୍ବରୁ ଫର୍ମ ପୂରଣ ଅବଧି ଅକ୍ଟୋବର ୨୮ ତାରିଖରେ ସମାପ୍ତ ହେବାର ନିର୍ଦ୍ଧାରିତ ଥିଲା। ମାତ୍ର, ବାତ୍ୟା ମୋନ୍ଥାର ପ୍ରଭାବ ଯୋଗୁଁ ରାଜ୍ୟର ଅନେକ ମହାବିଦ୍ୟାଳୟରେ ଛାତ୍ର-ଛାତ୍ରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଫର୍ମ ପୂରଣ କରିପାରିନଥିଲେ।
ଏହି ଅସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ମହାବିଦ୍ୟାଳୟ ପକ୍ଷରୁ ପରୀକ୍ଷା ପରିଷଦଙ୍କୁ ଫର୍ମ ପୂରଣ ତାରିଖ ବୃଦ୍ଧି କରିବା ପାଇଁ ନିବେଦନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଅନୁରୋଧ ଏବଂ ମହାବିଦ୍ୟାଳୟଗୁଡ଼ିକର ଆବେଦନକୁ ଗୁରୁତ୍ୱ ଦେଇ ପରିଷଦ ଏହି ନିଷ୍ପତ୍ତି ନେଇଛନ୍ତି ଯେ ଫର୍ମ ପୂରଣ ତାରିଖ ନଭେମ୍ବର ୩ ଯାଏଁ ବୃଦ୍ଧି କରାଯାଇଛି। ଏଥି ସହିତ ସମସ୍ତ ଆବଶ୍ୟକ ଫି ଜମା ଦେବାର ଅନ୍ତିମ ତାରିଖ ମଧ୍ୟ ଏହି ଦିନ ହିଁ ରହିଛି।
