FeaturedGeneralLatest

ଶି-ଟ୍ରମ୍ପ ସାକ୍ଷାତ: ଚୀନ ଉପରେ ଶୁଳ୍କ ହ୍ରାସ କରିବେ ଟ୍ରମ୍ପ

ବୁସାନ (ସଂକେତ ଟିଭି): ଗୁରୁବାର ଦକ୍ଷିଣ କୋରିଆର ବୁସାନଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ଏକ ଐତିହାସିକ ସାକ୍ଷାତ ଅନୁଷ୍ଠିତ ହୋଇଥିଲା। ପ୍ରାୟ ଛଅ ବର୍ଷ ପରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ଆନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି। ସାକ୍ଷାତକାଳୀନ ପରସ୍ପର ହାତ ମିଳାଣ ଏବଂ ସୌଜନ୍ୟପୂର୍ଣ୍ଣ ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନୟନର ସୂଚନା ଦେଇଛି।

ଏହି ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚାଇନା ଉପରୁ ଟାରିଫ୍ ବା ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ପୂର୍ବେ ଟ୍ରମ୍ପ ଚୀନ ଉପରେ ସର୍ବାଧିକ ଶୁଳ୍କ ଲଗାଇଥିଲେ ଏବଂ ଏହାକୁ ଆହୁରି ବୃଦ୍ଧି କରିବାକୁ ଧମକ ଦେଇଥିଲେ। ତେଣୁ, ବର୍ତ୍ତମାନର ଏହି ଶୁଳ୍କ ହ୍ରାସର ନିଷ୍ପତ୍ତିକୁ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ବଡ଼ ଉନ୍ନତି ଭାବରେ ଦେଖାଯାଉଛି। ବିଶ୍ୱବାସୀ ଏହି ସାକ୍ଷାତକୁ ସକାରାତ୍ମକ ଆଶାର ସହିତ ପର୍ଯ୍ୟବେକ୍ଷଣ କରୁଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ ସାକ୍ଷାତରେ କହିଥିଲେ, “ଏହା ଏକ ମହାନ ସମ୍ମାନ। ମୁଁ ବିଶ୍ୱାସ କରେ ଆମର ଦୀର୍ଘ ସମୟ ଧରି ଏକ ସୁନ୍ଦର ସମ୍ପର୍କ ରହିବ। ମୋର କୌଣସି ସନ୍ଦେହ ନାହିଁ ଯେ, ଆମର ସାକ୍ଷାତ ବହୁତ ସଫଳ ହେବ।” ଅନ୍ୟ ପକ୍ଷରେ, ରାଷ୍ଟ୍ରପତି ଶି ଜିନପିଙ୍ଗ ଆମେରିକା ସହିତ କାମ କରିବାକୁ ପ୍ରସ୍ତୁତ ଥିବା ପ୍ରକାଶ କରି ଗାଜା ଯୁଦ୍ଧ ସମାପ୍ତ କରିବାରେ ଟ୍ରମ୍ପଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ତାଙ୍କ ମତାନୁସାରେ, ଦୁଇ ଦେଶର ମିଳିତ ମାର୍ଗଦର୍ଶନରେ ଚାଇନା-ଆମେରିକା ସମ୍ପର୍କ ସ୍ଥିର ରହିଛି।

ଉଲ୍ଲେଖ୍ୟ, ଏହାର ପୂର୍ବରୁ ୨୦୧୯ ମସିହାରେ ଜାପାନର ଓସାକାଠାରେ ଦୁଇ ନେତା ସାକ୍ଷାତ କରିଥିଲେ। ତଥାପି, ଗତ କିଛି ବର୍ଷ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଆସିଥିଲା। ବୁସାନରେ ଅନୁଷ୍ଠିତ ଏହି ନୂତନ ସାକ୍ଷାତ ଏହି ପରିସ୍ଥିତିରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାର ଆଶା ଜନ୍ମାଇଛି।