ପତଞ୍ଜଳିର ବିବାଦୀୟ ବିଜ୍ଞାପନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ (ସଂକେତ ଟିଭି): ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦୀକୁ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। କୋର୍ଟ ପତଞ୍ଜଳିର ଏକ ବିବାଦୀୟ ଚ୍ୟବନପ୍ରାଶ ବିଜ୍ଞାପନକୁ ତିନି ଦିନ ଭିତରେ ସବୁ ପ୍ଲାଟଫର୍ମରୁ ହଟାଇବାକୁ ଆଦେଶ ଦେଇଛନ୍ତି। ଏହି ବିଜ୍ଞାପନରେ ଅନ୍ୟ ସମସ୍ତ ଚ୍ୟବନପ୍ରାଶ ବ୍ରାଣ୍ଡକୁ ‘ଧୋକା’ ବୋଲି କୁହାଯାଇଥିଲା।
ଜଷ୍ଟିସ ତେଜସ୍ କରିୟା ଡାବର ଇଣ୍ଡିଆ ଲିମିଟେଡ୍ ବନାମ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ମାମଲାର ଶୁଣାଣି କରି ମଙ୍ଗଳବାର ଏହି ଆଦେଶ ଦେଇଛନ୍ତି। ବିଚାରପତି କରିୟା ନିଜ ନିଷ୍ପତ୍ତିରେ ଟେଲିଭିଜନ ଚ୍ୟାନେଲ, ଓଟିଟି ପ୍ଲାଟଫର୍ମ, ଲାଇଭ୍ ଷ୍ଟ୍ରିମିଂ, ଛାପା ଗଣମାଧ୍ୟମ, ୱେବସାଇଟ, ଇଣ୍ଟରନେଟ୍ ପ୍ଲାଟଫର୍ମ ଏବଂ ସମସ୍ତ ପ୍ରକାରର ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ବିଜ୍ଞାପନକୁ ତିନି ଦିନ ଭିତରେ ହଟାଇବା କିମ୍ବା ବ୍ଲକ୍ କରିବାକୁ କୁହାଛନ୍ତି।
ହାଇକୋର୍ଟଙ୍କ ଏକଲା ପୀଠ ଡାବର ଇଣ୍ଡିଆର ଯାଚିକା ଉପରେ ଏହି ରାୟ ଦେଇଛନ୍ତି। ଡାବର ନିଜ ଯାଚିକାରେ ପତଞ୍ଜଳି ସ୍ପେଶାଲ ଚ୍ୟବନପ୍ରାଶର ଟେଲିଭିଜନ ବିଜ୍ଞାପନକୁ ଅପମାନସୂଚକ ଓ ଅନୁଚିତ ବୋଲି ଦର୍ଶାଇଥିଲା। ଡାବରର ଯାଚିକା ଅନୁସାରେ, ବିଜ୍ଞାପନରେ ବାବା ରାମଦେବ ଉପଭୋକ୍ତାଙ୍କୁ ଚେତାବନୀ ଦେଇ କହୁଛନ୍ତି ଯେ ଚ୍ୟବନପ୍ରାଶ ନାମରେ ଅଧିକାଂଶ ଲୋକଙ୍କୁ ଠକା ଯାଉଛି। ବିଜ୍ଞାପନରେ ଅନ୍ୟ ଚ୍ୟବନପ୍ରାଶ ବ୍ରାଣ୍ଡକୁ ଧୋକା ବୋଲି ଦର୍ଶାଯାଇଥିବା ବେଳେ ପତଞ୍ଜଳିର ପ୍ରୋଡକ୍ଟକୁ ଏକମାତ୍ର ଅସଲି ଚ୍ୟବନପ୍ରାଶ ବୋଲି କୁହାଯାଇଥିଲା।
ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ, ଡାବର ଅଭିଯୋଗ କରିଛି ଯେ ପତଞ୍ଜଳିର ବିଜ୍ଞାପନ ଜାଣିଶୁଣି ତାଙ୍କର ପ୍ରମୁଖ ଉତ୍ପାଦ ଡାବର ଚ୍ୟବନପ୍ରାଶକୁ ବଦନାମ କରିବା ଉଦ୍ଦେଶ୍ୟରେ ପ୍ରସାରଣ କରାଯାଉଛି। ଡାବର ୧୯୪୯ ମସିହାରୁ ବଜାରରେ ୬୧ ପ୍ରତିଶତରୁ ଅଧିକ ଭାଗିଦାରୀ ରହି ଆସିଛି। ଡାବର ଏହା ମଧ୍ୟ ଯୁକ୍ତି ବାଢିଛି ଯେ ପତଞ୍ଜଳିର ଏହି ବିଜ୍ଞାପନ ଓ ସନ୍ଦେଶ ସଂପୂର୍ଣ୍ଣ ଚ୍ୟବନପ୍ରାଶ ଶ୍ରେଣୀକୁ ଅପମାନ କରୁଛି। ଏହି ତର୍କ ଉପରେ ବିଚାର କରିବା ପରେ ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ପତଞ୍ଜଳିର ବିଜ୍ଞାପନରେ ସଂପୂର୍ଣ୍ଣ ଭାବେ ଚ୍ୟବନପ୍ରାଶ ଉତ୍ପାଦ ଶ୍ରେଣୀକୁ ଅପମାନ କରିବାକୁ ପ୍ରୟାସ କରାଯାଇଛି।
