CrimeFeaturedLatestNews

ଦୁଇ ଚୋରଙ୍କୁ ଧରି ନିର୍ଘାତ ପିଟିଲେ ଗ୍ରାମବାସୀ, ଜଣେ ମୃତ, ଜଣେ ଗୁରୁତର

ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ବିସିପାଲି ଗାଁରେ ଚୋରି କରିବା ପାଇଁ ପଶିଥିବା ଦୁଇ ଚୋରଙ୍କୁ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ନିର୍ଘାତ ମାଡ଼ ଖାଇବାକୁ ପଡ଼ିଥିଲା । ଏହି ଘଟଣାରେ ଜଣେ ଚୋରର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଦେଉଳା ଗ୍ରାମର ବାପି କୋହ୍ଲାର ଏବଂ କାହ୍ନୁ ମଢ଼େଇ ନାମକ ଦୁଇ ଚୋର ଧାନଘେରା ଗାଁରେ ପଶି ଦୁଇଟି ଘରୁ ସିଲିଣ୍ଡର ଚୋରି କରିଥିଲେ । ଚୋରି ସାମଗ୍ରୀ ସହିତ ସେମାନେ ଘରୁ ବାହାରିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଦୁହିଁଙ୍କୁ ନିର୍ଘାତ ମାଡ଼ ମାରାଯିବା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ ।

ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତ ଚୋରଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସା କାଳରେ ବାପି କୋହ୍ଲାରର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଚୋର କାହ୍ନୁ ମଢ଼େଇ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଏହି ଘଟଣାକୁ ନେଇ ପୋଲିସ ସକ୍ରିୟ ହୋଇଛି । ଚୋରଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ପୋଲିସ ଗାଁର ୧୦ରୁ ଅଧିକ ଲୋକଙ୍କୁ ଗିରଫ କରି ପଚରାଉଚରା କରୁଛି । ଘଟଣାର ସଂପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୋଲିସ ଖୋଳତାଡ଼ କରୁଥିବା ଜଣାଯାଇଛି ।