FeaturedLatestNews

ରାଜ୍ୟ କ୍ୟାବିନେଟ୍‌ରେ ୧୨ ପ୍ରସ୍ତାବ ମଞ୍ଜୁର, ହଜାରେ କୋଟିର ବିନିଯୋଗ ପାଇଁ ଯୋଜନା

ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପଗୁଡ଼ିକୁ ମଞ୍ଜୁରୀ ଦିଆଗଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ୯ଟି ବିଭାଗର ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏଥିରେ ରାଜ୍ୟର ବିକାଶ ପାଇଁ ହଜାରେ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବାର ସଂକଳ୍ପ ରହିଛି ।

ବୈଠକରେ ଇସ୍ପାତ ଓ ଖଣି ବିଭାଗର ଦୁଇଟି ପ୍ରସ୍ତାବ ସହିତ ଅର୍ଥ ବିଭାଗ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏସ୍‌ସି ଏବଂ ଏସ୍‌ଟି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଏଥିସହ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନରେ ସଂଶୋଧନ ଆଣିବାର ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରାଯାଇଛି ।

ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଲଘୁ ଖଣିଜ ସମ୍ପଦର ନିଲାମ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଛି । ଏହା ପାରମ୍ପରିକ ନିଲାମ ନ ହୋଇ ଲଟେରୀ ପଦ୍ଧତିରେ ହେବ, ଯେଉଁଥିରେ ସରକାର ଦର ନିର୍ଦ୍ଧାରଣ କରିବେ । ଲଘୁ ଖଣିଜ ଦ୍ରବ୍ୟ କଳାବଜାରରୁ ରୋକିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯିବ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ହେଲା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ । ପୋଲିସ, ବନ ବିଭାଗ ଏବଂ ଅବକାରୀ ବିଭାଗରେ ନିଯୁକ୍ତି ପ୍ରଦାନ କରିବା ଏହି ଆୟୋଗର କାର୍ଯ୍ୟ ହେବ । ଜଣେ ଅଧ୍ୟକ୍ଷ ଏବଂ ଦୁଇଜଣ ସଦସ୍ୟଙ୍କୁ ନେଇ ଏହି ଆୟୋଗ ଗଠିତ ହେବ ଏବଂ ସମସ୍ତ ୟୁନିଫର୍ମ ସେବାରେ ନିଯୁକ୍ତି ଏହି ଆୟୋଗ ମାଧ୍ୟମରେ ହେବ । ଏହି ବୈଠକରେ ଆଗାମୀ ଶୀତକାଳୀନ ଅଧିବେଶନ ସହିତ ଜଡ଼ିତ ଅତିରିକ୍ତ ବଜେଟ୍‌କୁ ମଧ୍ୟ ଅନୁମୋଦନ ଦିଆଯିବାର ପ୍ରସ୍ତାବ ରଖାଯାଇଥିଲା ।