ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ: ଦର୍ଶନ ବ୍ୟବସ୍ଥାରେ ହେବ ପରିବର୍ତ୍ତନ
ପୁରୀ (ସଂକେତ ଟିଭି): ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଚାରି ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢୀ ସମ୍ବାଦଦାତାଙ୍କୁ ବିଭିନ୍ନ ସ୍ତରରେ ଗୃହୀତ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି ।
ଦର୍ଶନ ବ୍ୟବସ୍ଥାରେ ସୁଧାର: ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ନୂତନ ଏସଓପି ପ୍ରସ୍ତୁତ କରାଯିବ । ଏଥିପାଇଁ କାଠ ରାମ୍ପର ଡିଜାଇନ୍ରେ ପରିବର୍ତ୍ତନ ଆଣି ତ୍ରୁଟିଶୂନ୍ୟ ଦର୍ଶନ ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ନିଆଯାଇଛି । ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ, ମାତ୍ର ଏହା ଯେପରି ସାଧାରଣ ଭକ୍ତଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି ନକରେ, ସେଥୁପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସବ୍-କମିଟି ଅନୁଧ୍ୟାନ କରିବେ ।
ରତ୍ନଭଣ୍ଡାର ଗଣତି ଓ ଡିଜିଟାଲୀକରଣ: ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାରରେ ରକ୍ଷିତ ଅଳଙ୍କାରମାନଙ୍କର ଗଣତି ମଣତି କରାଯିବ । ଏହି ରତ୍ନ ଅଳଙ୍କାରଗୁଡ଼ିକର ଡିଜିଟାଇଜେସନ୍ କରାଯିବା ସହିତ ଅକ୍ଷୟ ତୃତୀୟା ପୂର୍ବରୁ ଗଣତି କାର୍ଯ୍ୟ ସମ୍ପାଦନ କରାଯିବାର ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଭକ୍ତଙ୍କ ପାଇଁ ସ୍ୱର୍ଣ୍ଣ ଅଳଙ୍କାର ଦାନ ଯୋଜନା ଆରମ୍ଭ କରାଯିବ, ଯାହାଦ୍ୱାରା ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଳଙ୍କାର ଦାନ କରି ନୂତନ ସେଟ୍ ତିଆରି କରିପାରିବେ ।
ରୂପା ଇଟା ଓ ଗୁଣ୍ଡିଚା ମନ୍ଦିର: ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ମାମଲା ବର୍ତ୍ତମାନ ହାଇକୋର୍ଟରେ ଅଛି । ନିୟମ ଅନୁସାରେ ଏହାକୁ ମହାପ୍ରଭୁଙ୍କ ଅଧୀନକୁ ଆଣିବା ପାଇଁ ପ୍ରକ୍ରିୟା କରିବେ ଶ୍ରୀମନ୍ଦିର ପ୍ରଶାସନ । ଅନ୍ୟତରେ, ଖୁବ୍ ଶୀଘ୍ର ଗୁଣ୍ଡିଚା ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବା ଆଲୋଚିତ ହୋଇଛି । ମାହାଲ ଦିଆଯାଇ ନଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାର ଦାୟିତ୍ୱ ନେବେ ।
ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି: ବୈଠକରେ ଶ୍ରୀମନ୍ଦିରର ସୁରକ୍ଷା ବୃଦ୍ଧି କରିବା ପାଇଁ ଆଇନରେ କଡ଼ା ପ୍ରବନ୍ଧ ଅଣାଯିବ, ଜମିଜମା ସୁରକ୍ଷା ଓ ଇସ୍କନର ଅଦିନିଆ ରଥଯାତ୍ରା ଉପରେ ମଧ୍ୟ ଆଲୋଚନା ହୋଇଛି । ସେବାୟତଙ୍କ ଭତ୍ତା ବୃଦ୍ଧି ସହିତ ସେବାୟତ କନ୍ୟାଙ୍କ ବିବାହ ପାଇଁ ଅନୁଦାନ ଏକ ଲକ୍ଷ ଏବଂ ବ୍ରତଘର ପାଇଁ ୫୦ ହଜାର ଟଙ୍କା କରାଯାଇଛି । ଶ୍ରୀମନ୍ଦିର ବଜେଟ୍କୁ ମଧ୍ୟ ଅନୁମୋଦନ ଦିଆଯାଇଛି ।
