FeaturedLatestNews

ଧର୍ମଘଟ ଡାକରା ପ୍ରତ୍ୟାହାର କଲା ବସ୍ ମାଲିକ ସଂଘ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ଘରୋଇ ବସ୍ ମାଲିକ ସଂଘ (AOBOA) ଡିସେମ୍ବର ୧ ତାରିଖରୁ ହେବାକୁ ଥିବା ରାଜ୍ୟବ୍ୟାପୀ ଧର୍ମଘଟ ଡାକରାକୁ ପ୍ରତ୍ୟାହାର କରିଛି। ଯାନବାହନ ଚେକିଂ ପାଇଁ ପୋଲିସ ବିଭାଗକୁ ଅତିରିକ୍ତ କ୍ଷମତା ଦେବାର ସରକାରୀ ନିଷ୍ପତ୍ତିର ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। ତେବେ, ସରକାରଙ୍କ ସହ ହୋଇଥିବା ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରାଯାଇଛି।

ଏକ ପ୍ରତିନିଧି ମଣ୍ଡଳୀ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଆପତ୍ତି ସଂପର୍କରେ ଜଣାଇଥିଲେ। ଏହି ଆଲୋଚନା ପରେ ପରିବହନ ବିଭାଗ ପକ୍ଷରୁ ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ନ ହେବା ନେଇ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ପ୍ରତ୍ୟାହାର କରାଯାଇଛି। ଏହି ନିଷ୍ପତ୍ତି ଯାତ୍ରୀଙ୍କ ମନରେ ଆଶ୍ଵାସ୍ତି ଆଣିଛି।

ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, ପୋଲିସକୁ ଅଧିକ କ୍ଷମତା ଦେବାର ଯୋଜନା ବସ୍ ଅପରେଟରମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଥିଲା, କାରଣ ଏଥିରେ ଅଯଥା ହଇରାଣି ଏବଂ ଦଣ୍ଡ ବୃଦ୍ଧି ହେବାର ଆଶଙ୍କା ଥିଲା। ମାତ୍ର, ସରକାର ଏହି ଅତିରିକ୍ତ କ୍ଷମତା ପ୍ରଦାନ ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି ଆଲୋଚନାରେ ଜଣାପଡ଼ିଛି। ସେ ଆହୁରି କହିଛନ୍ତି ଯେ ସରକାରଙ୍କ ପ୍ରତିଶ୍ରୁତି ପାଳନ ନ ହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୪୦ ବର୍ଷ ପୂର୍ବେ ଦୁର୍ନୀତି ଏବଂ କ୍ଷମତାର ଅପବ୍ୟବହାର ବୃଦ୍ଧି ଯୋଗୁ ସରକାରଙ୍କ ଏଭଳି ନିଷ୍ପତ୍ତି ବିଫଳ ହୋଇଥିଲା ଏବଂ ସେବେଠାରୁ ପୁଲିସର ସମ୍ପୃକ୍ତି ବିନା ମୋଟର ଯାନ ଯାଞ୍ଚ କରାଯାଉଛି। ସଂଘ ଏହି ବିବାଦୀୟ ନିଷ୍ପତ୍ତି ପୂର୍ବରୁ ଜୁନ୍ ମାସରେ ସରକାରଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦେଇଥିଲା।