ମନ୍ଦିରମାନଙ୍କ ପାଇଁ ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର : ଆଇନ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ମନ୍ଦିରମାନଙ୍କ ପାଇଁ ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି ବେଳେ ଅଙ୍ଗନବାଡ଼ିଗୁଡ଼ିକର ନିଜସ୍ୱ ଗୃହ ନିର୍ମାଣ ପ୍ରକ୍ରିୟାରେ ମଧ୍ୟ ତ୍ୱରାନ୍ୱିତ ହେବାର ପ୍ରତିଶ୍ରୁତି ଦେଇଛନ୍ତି। ବିଧାନସଭାର ଶୀତ ଅଧିବେଶନର ତୃତୀୟ ଦିବସରେ ମନ୍ତ୍ରୀମାନେ ଏ ସମ୍ପର୍କରେ ଉତ୍ତର ଦେଇଛନ୍ତି।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର ୪,୧୪୫ଟି ମନ୍ଦିରପାଇଁ ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଅନୁଦାନ ୫ କୋଟି ଟଙ୍କା ଥିବା ବେଳେ ବର୍ତ୍ତମାନ ଏହାକୁ ସାଢ଼େ ୭ କୋଟି (୭ କୋଟି ୫୦ ଲକ୍ଷ) ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଅଢ଼େଇ କୋଟି ଟଙ୍କା ଆର୍ଥିକ ଅନୁଦାନ ବୃଦ୍ଧି କରାଯାଇଛି। ଦେବୋତ୍ତର ବିଭାଗ ଅଧୀନରେ ରାଜ୍ୟରେ ୧୮ ହଜାରରୁ ଅଧିକ ମନ୍ଦିର ରହିଛି ବୋଲି ସେ କହିଛନ୍ତି।
ଅନ୍ୟ ପକ୍ଷରେ, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ରାଜ୍ୟରେ ୨୦,୧୫୦ଟି ଅଙ୍ଗନବାଡ଼ିର ନିଜସ୍ୱ ଗୃହ ନାହିଁ। ତା ସତ୍ତ୍ୱେ, ୭,୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ୩,୮୯୦ଟି ଅଙ୍ଗନବାଡ଼ି ଭଡ଼ା ଘରେ ଚାଲୁଛି।
ଉପ-ମୁଖ୍ୟମନ୍ତ୍ରୀ ପରିଡ଼ା ଜଣାଇଛନ୍ତି ଯେ ସମସ୍ତ ଅଙ୍ଗନବାଡ଼ିର ନିଜସ୍ୱ ଗୃହ ନିର୍ମାଣ ଲକ୍ଷ୍ୟରେ ସରକାର କାର୍ଯ୍ୟକ୍ରମ ଚଳାଇଛନ୍ତି। ଗୃହ ନିର୍ମାଣ ପାଇଁ ପୂର୍ବ ନିର୍ଦ୍ଧାରିତ ୧୫ ଲକ୍ଷ ଟଙ୍କା ବଦଳରେ ବର୍ତ୍ତମାନ ୩୨ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ୧୮ ଫେବୃଆରୀ, ୨୦୨୫ରେ ଜାରି ପତ୍ର ମାଧ୍ୟମରେ ନୂତନ ବ୍ୟବସ୍ଥା କରାଯାଇଛି।
ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବଜେଟ ବ୍ୟବସ୍ଥା ନଥିବା ସତ୍ତ୍ୱେ କାମ କରିବା ଆଶଙ୍କାର ପ୍ରତିଉତ୍ତରରେ ଉପ-ମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି ଯେ ବଜେଟ ବ୍ୟବସ୍ଥା ବିନା କାମ ଚାଲୁନଥିବା ଏବଂ ଅତିରିକ୍ତ ବଜେଟ ମାଧ୍ୟମରେ ଏହାର ସମସ୍ତ ବନ୍ଦୋବସ୍ତ କରାଯାଇଛି।
