ଫେବୃଆରି ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ବାର୍ଷିକ ପରୀକ୍ଷା
ଭୁବନେଶ୍ୱର (ସଂକେତ ଟିଭି): ମାଧ୍ୟମିକ ଶିକ୍ଷା ପରିଷଦ ଆୟୋଜିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୬ ଫେବୃଆରି ୧୮ ତାରିଖରେ ଆରମ୍ଭ ହୋଇ ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ। ପରୀକ୍ଷା ସୂଚୀ ଅନୁଯାୟୀ ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜାରି ରହିବ। ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀମାନେ ହଲ୍ ଭିତରକୁ ପ୍ରବେଶ କରିବେ ଏବଂ ପରୀକ୍ଷା ଆରମ୍ଭର ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ।
ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ଦର୍ଶାଇଛନ୍ତି ଯେ ଏଥି ପାଇଁ ମୋଟ ୪,୦୦,୭୩୭ ଜଣ ଛାତ୍ରଛାତ୍ରୀ ଫର୍ମ ପୁରଣ କରିଛନ୍ତି। ବିଭିନ୍ନ ଶ୍ରେଣୀ ଅନୁଯାୟୀ କଳାରେ ୨,୫୬,୦୪୩, ବିଜ୍ଞାନରେ ୧,୧୪,୫୩୮, ବାଣିଜ୍ୟରେ ୨୪,୫୩୩ ଏବଂ ଧନ୍ଦାମୂଳକ ପରୀକ୍ଷା ପାଇଁ ୫,୯୨୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରେ ୧,୩୫୦ଟି ପରୀକ୍ଷା କେନ୍ଦ୍ର ରଖାଯିବାର ଯୋଜନା ରହିଛି, ଆବଶ୍ୟକତା ଅନୁଯାୟୀ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।
ଏଥର ପରୀକ୍ଷାରେ ପ୍ରଥମ ଥର ପାଇଁ ଓପନ ବୁକ୍ କାଷ୍ଟିଂ, ସିସିଟିଭି କ୍ୟାମେରା ଏବଂ ଲାଇଭ୍ ଷ୍ଟ୍ରିମିଂର ବ୍ୟବସ୍ଥା ରହିବ। ଆଗାମୀ ୧୫ ତାରିଖରୁ ଛାତ୍ରଛାତ୍ରୀଙ୍କ ଆଡମିଟ କାର୍ଡ ଜାରି କରାଯିବ। ପ୍ରାୟୋଗିକ ପରୀକ୍ଷା ଜାନୁଆରୀ ୨ ତାରିଖରେ ଆରମ୍ଭ ହୋଇ ୧୫ ତାରିଖ ମଧ୍ୟରେ ଶେଷ ହେବ।
ପରିଷଦ ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷଗୁଡ଼ିକରେ ଯେଉଁ ପ୍ରକ୍ରିୟା ଅନୁସରଣ କରାଯାଇଥିଲା, ଚାଲିତ ବର୍ଷରେ ମଧ୍ୟ ସେହି ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ପରୀକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବାରେ ସଫଳତା ମିଳିଥିବା ଦର୍ଶାଯାଇ କୁହାଗଲା ଯେ ପୂର୍ବରୁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖା ସଦସ୍ୟ ଥିବା ବେଳେ ଏଥର ତାହା ବୃଦ୍ଧି କରି ୨ ଜଣକୁ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ନରେ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।
