ଡିଏମ୍ଏଫ୍ ପାଣ୍ଠିରୁ ଆଦାୟ ହୋଇଛି ୩୪,୦୫୨ କୋଟି ଟଙ୍କା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖଣିଜ ସମ୍ପଦରୁ ସଂଗୃହୀତ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ (ଡିଏମ୍ଏଫ୍) ପାଣ୍ଠିର ସଠିକ୍ ବ୍ୟବହାର ଓ ତଦାରଖ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ବନ୍ଧୀୟ ବୈଠକରେ ସେ ଏହି ଦିଗରେ ମାର୍ଗଦର୍ଶନ ଦେଇଥିଲେ ।
ବୈଠକରେ ଜଣାଯାଇଛି ଯେ, ଚାଲିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧ଟି ଡିଏମ୍ଏଫ୍ ଜିଲ୍ଲାରୁ ସର୍ବମୋଟ ୩୪,୦୫୨ କୋଟି ଟଙ୍କା ଆଦାୟ ହୋଇସାରିଛି । ଏଥିରୁ ପ୍ରାୟ ୫୫ ପ୍ରତିଶତ ଅର୍ଥ ବ୍ୟୟିତ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଖର୍ଚ୍ଚ ହାର ଆହୁରି ବୃଦ୍ଧି କରି ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରତ୍ୟେକ ଡିଏମ୍ଏଫ୍ ପାଣ୍ଠିର ବାର୍ଷିକ ରିପୋର୍ଟ ଓ ଅଡିଟ ରିପୋର୍ଟ ବିଭାଗୀୟ ସଚିବଙ୍କଦ୍ୱାରା ଦାଖଲ କରାଯିବ । ଲଘୁ ଖଣିଜରୁ ଆସୁଥିବା ଡିଏମ୍ଏଫ୍ ଅର୍ଥ ସେହି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳଯୋଗାଣ, ଗମନାଗମନ ଭଳି ମୌଳିକ ସୁବିଧା ଉନ୍ନୟନରେ ବ୍ୟବହୃତ ହେବା ଆବଶ୍ୟକ ।
ଏଥିସହ, ଖଣି ଅଞ୍ଚଳର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମ୍ପୂର୍ଣ୍ଣ ମୌଳିକ ସୁବିଧା ଯୋଗାଇଦେବା ଏବଂ ସେଠାକାର ପ୍ରଦୂଷଣ ପ୍ରତିରୋଧ କରିବା ଦିଗରେ ପଦକ୍ଷେପ ନେବାକୁ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ହେଲା, ବାର୍ଷିକ ୧୦ କୋଟି କିମ୍ବା ତାହାଠାରୁ ଅଧିକ ଡିଏମ୍ଏଫ୍ ଅର୍ଥ ସଂଗ୍ରହ କରୁଥିବା ଜିଲ୍ଲାଗୁଡ଼ିକ ଏକ ଏଣ୍ଡାଓମେଣ୍ଟ ପାଣ୍ଠି ଗଠନ କରିବେ । ଏହି ପାଣ୍ଠି ସରକାରୀ ପ୍ରତିଭୂତି କିମ୍ବା ଅନୁସୂଚିତ ବ୍ୟାଙ୍କମାନଙ୍କର ବଣ୍ଡ ଓ ସ୍ଥାୟୀ ଜମାରେ ବିନିଯୋଗ କରାଯିବ ।
ଏହି ଏଣ୍ଡାଓମେଣ୍ଟ ପାଣ୍ଠିର ଉଦ୍ଦେଶ୍ୟ ହେଉଛି, ଖଣିଜ ସମ୍ପଦ ଶେଷ ହୋଇଯାଇଥିବା କିମ୍ବା ଖଣି କାର୍ଯ୍ୟକଳାପ ବନ୍ଦ ହୋଇଥିବା ଅଞ୍ଚଳଗୁଡ଼ିକରେ ଭବିଷ୍ୟତରେ ଲୋକଙ୍କ ଜୀବିକା ସୁରକ୍ଷା ସୃଷ୍ଟି କରିବା ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ, ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଆଦି ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।
