ଡିସେମ୍ବର ୩୧ ପର୍ଯ୍ୟନ୍ତ ଇ-କେଓ୍ବାଇସି ପ୍ରକ୍ରିୟା; ୩୩ ହଜାର କାର୍ଡ ବାତିଲ
ଭୁବନେଶ୍ୱର (ସଂକେତ ଟିଭି): ରାସନକାର୍ଡ ସଂଶୋଧନ ପ୍ରକ୍ରିୟାର E-KYC (ଇଲେକ୍ଟ୍ରୋନିକ୍ ନୋ ଅବଜେକ୍ସନ୍ ସର୍ଟିଫିକେଟ୍) ପ୍ରକ୍ରିୟା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ବିଧାନସଭାକୁ ଏକ ଲିଖିତ ଉତ୍ତରରେ ରଖିଛନ୍ତି ।
ଏହି ଇ-କେୱାଇସି ପ୍ରକ୍ରିୟା ଓ କ୍ଷେତ୍ର ତର୍ଜମା ସମୟରେ ପ୍ରାୟ ୬ ଲକ୍ଷ ୮୩ ହଜାର ୯୯୫ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏହି ତଥ୍ୟ ଆଧାରରେ ୩୩ ହଜାର ୧୨୮ଟି ଅଯୋଗ୍ୟ ରାସନ କାର୍ଡକୁ ବାତିଲ କରାଯାଇଛି, ଯାହା ମାଧ୍ୟମରେ ୧ ଲକ୍ଷ ୨୦ ହଜାର ୧୯୯ ଜଣ ପରିବାର ସଦସ୍ୟ ବଞ୍ଚିତ ହୋଇଛନ୍ତି । ଜାଲିଆ କାର୍ଡ ଚିହ୍ନଟ ହେବାରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ ସ୍ଥାନରେ ଅଛି, ଯେଉଁଠି ୪,୭୪୭ଟି କାର୍ଡ ଧରା ପଡ଼ିଛି । ଦ୍ୱିତୀୟ ସ୍ଥାନରେ ଥିବା କଟକରେ ୨,୯୦୫ଟି ଏବଂ ତୃତୀୟ ସ୍ଥାନରେ ଥିବା ସୁନ୍ଦରଗଡ଼ ଜିଲ୍ଲାରେ ୨,୩୫୭ଟି ଜାଲିଆ ରାସନକାର୍ଡ ଚିହ୍ନଟ ହୋଇଛି ।
ଅନ୍ୟ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଜୁନ୍ ୨୦୨୪ ମାସ ଠାରୁ ରାସନ କାର୍ଡ଼ ପାଇଁ ମୋଟ ୧୫ ଲକ୍ଷ ୩୩ ହଜାର ୧୫୩ଟି ଆବେଦନ ହସ୍ତଗତ ହୋଇଛି । ସେଥି ମଧ୍ୟରୁ ୩ ଲକ୍ଷ ୨୩ ହଜାର ୧୪୫ଟି ଆବେଦନ କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ, ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ଭାବରେ ସାମିଲ୍ ହୋଇଛନ୍ତି; ଏହି ପରିବାରଗୁଡ଼ିକର ସଦସ୍ୟ ସଂଖ୍ୟା ୬ ଲକ୍ଷ ୩୯ ହଜାର ୮୨୭ ।
ସେହିପରି, ‘ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମ ୨୦୨୦’ର ବାଦ ଦେବା ମାନଦଣ୍ଡ ଅନୁଯାୟୀ, ଆଉ ୭ ଲକ୍ଷ ୩୭ ହଜାର ୫୩୦ଟି ଆବେଦନକୁ ଅଗ୍ରାହ୍ୟ କରାଯାଇଛି । ବାକି ରହିଥିବା ଏବଂ ଅଦ୍ୟାପି ହସ୍ତଗତ ହେଉଥିବା ୪ ଲକ୍ଷ ୭୨ ହଜାର ୪୭୮ଟି ଆବେଦନର ବ୍ଲକ ଓ ପୌର ସ୍ତରରେ କ୍ଷେତ୍ର ତର୍ଜମା କାର୍ଯ୍ୟ ଚାଲିଛି ।
