ମନ୍ କି ବାତ୍ ର ପ୍ରସାରଣ ସଫଳତାରେ ବସ୍ତା ରାଜ୍ୟରେ ପ୍ରଥମ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ର ପ୍ରସାରଣ ସଫଳତା ରେ ରାଜ୍ୟରେ ପ୍ରଥମ ସ୍ଥାନ ଦଖଲ କରିଛି। ମଣ୍ଡଳୀର ସମସ୍ତ ୨୫୭ ଟି ବୁଥରେ ଗତ ୧୭ ମାସ ମଧ୍ୟରେ ୧୨ ଥର ଶତପ୍ରତିଶତ ଭାବେ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ହୋଇଛି।
ଗତ ରବିବାର ଅନୁଷ୍ଠିତ ୧୨୮ତମ ମନ୍ କି ବାତ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ବସ୍ତାର ୧୭ଟି ବୁଥରେ ଆୟୋଜିତ ହୋଇଥିଲା। ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା, ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ଜରିଆରେ ସିଧାପ୍ରସାରଣ କରୁଥିବା ବେଳେ ଶ୍ରୋତାଙ୍କୁ ପ୍ରତ୍ୟକ୍ଷ ଭାବେ ଦେଖିବାର ସୁଯୋଗ ପାଇଥିଲେ।
ଉତ୍ତର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ୩୭ ନମ୍ବର ବସ୍ତା ନିର୍ବାଚନ ମଣ୍ଡଳୀର ଅସ୍ତୀ ପଞ୍ଚାୟତ (୧୪୭ ନମ୍ବର ବୁଥ) ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୪ ହଜାରରୁ ଊର୍ଦ୍ଧ୍ୱ ଶ୍ରୋତା ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କୁ ଦେଖିଥିଲେ।
ଏହି କାର୍ଯ୍ୟକ୍ରମର ଆୟୋଜନାରେ ଉତ୍ତର ବାଲେଶ୍ୱର ଜିଲ୍ଲା ମନ୍ କି ବାତ୍ ସଂଯୋଜକ କୃଷ୍ଣ ଚନ୍ଦ୍ର ଦତ୍ତଙ୍କ ପ୍ରମୁଖ ଭୂମିକା ରହିଥିଲା। କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ଡା, ରାଜ୍ୟ ସଂଯୋଜକ ସ୍ମିତା ଖୁଣ୍ଟିଆ ସହ ବସ୍ତା, ଜଳେଶ୍ୱର ଓ ଭୋଗରାଇର ନେତୃବୃନ୍ଦ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ସଫଳ ଆୟୋଜନ ପାଇଁ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସଂଯୋଜକ କୃଷ୍ଣ ଚନ୍ଦ୍ର ଦତ୍ତଙ୍କୁ ସମ୍ବର୍ଧନା ଜଣାଇଥିଲେ। ବସ୍ତା ମଣ୍ଡଳୀର ଏହି ଅଭୂତପୂର୍ବ ସଫଳତା ରାଜ୍ୟରେ ମନ୍ କି ବାତ୍ ପ୍ରସାରଣ ପ୍ରତି ଜନସମର୍ଥନ ଓ ସଂଗଠନ ଶକ୍ତିର ପରିଚାୟକ ଭାବେ ଚିହ୍ନିତ ହୋଇଛି।
