ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ଏଏନଏମର ଦ୍ୱିତୀୟ ବର୍ଷର ମିଡ୍-ୱାଇଫେରୀ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର (ସଂକେତ ଟିଭି): ଆସିଷ୍ଟାଣ୍ଟ ନର୍ସିଂ ମିଡ୍ୱାଇଫରୀ (ଏଏନଏମ) ଦ୍ୱିତୀୟ ବର୍ଷର ମିଡ୍-ୱାଇଫେରୀ ପରୀକ୍ଷା ଆଜି ଶୁକ୍ରବାର ସ୍ଥଗିତ ହୋଇଛି । ଓଡିଶା ନର୍ସିଂ ଏବଂ ମିଡ୍ୱାଇଫରୀ କାଉନ୍ସିଲ୍ (ONMEB) ପକ୍ଷରୁ ପରୀକ୍ଷା ସ୍ଥଗିତ ରଖିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ପରବର୍ତ୍ତୀ ତାରିଖ ସମ୍ବନ୍ଧରେ କୌଣସି ସ୍ପଷ୍ଟତା ଦିଆଯାଇନାହିଁ ।
ପରୀକ୍ଷା ଆରମ୍ଭ ପୂର୍ବରୁ ହିଁ ପ୍ରଶ୍ନପତ୍ର ଲିକ୍ ହେବା ଅଭିଯୋଗ ଉଠିଥିଲା । ଏହି ଘଟଣାକୁ ନେଇ ବିଧାନସଭାରେ କଂଗ୍ରେସ ବିଧାୟକ ରାଜନ ଏକ୍କା ପଏଣ୍ଟ ଅଫ୍ ଅର୍ଡରରେ ପ୍ରଶ୍ନ ଉଠାଇଥିଲେ । ତାଙ୍କ ଅନୁସାରେ, ଶୁକ୍ରବାର ଦିନ ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ, ଦିନ ୧୧ଟା ବେଳେ ହିଁ ବଜାରରେ ପ୍ରଶ୍ନପତ୍ର ବିକ୍ରି ହେଉଥିବାର ତଥ୍ୟ ମିଳିଥିଲା । ପରୀକ୍ଷାକୁ ବାତିଲ କରାଯିବା ଏବଂ ତଦନ୍ତ କରାଯିବା ଉଚିତ ବୋଲି ସେ ମଧ୍ୟ ପ୍ରଶ୍ନ କରିଥିଲେ ।
ଘଟଣାଟିର ସତ୍ୟତା ଗଜପତି ଜିଲ୍ଲାରେ ମଧ୍ୟ ପ୍ରମାଣିତ ହୋଇଥିଲା । ପାରଳାଖେମୁଣ୍ଡି ମହାରାଜ ବାଳକ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା, ମାତ୍ର ପରବର୍ତ୍ତୀ ସମୟରେ ହଠାତ୍ ପରୀକ୍ଷାଟି ବାତିଲ କରାଗଲା ।
ଏହି ଘଟଣାରେ ପରୀକ୍ଷାର୍ଥୀମାନେ ଅତ୍ୟନ୍ତ ନିରାଶ ଓ ମାନସିକ ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । କଠିନ ପରିଶ୍ରମ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଅନେକ ପରୀକ୍ଷାର୍ଥୀ ନିରାଶ ମୁଖରେ ପରୀକ୍ଷା କେନ୍ଦ୍ରରୁ ଫେରିଛନ୍ତି । ଜଣେ ପରୀକ୍ଷାର୍ଥୀ କହିଛନ୍ତି, “କେହି କେହି ଦୁର୍ବୃତ୍ତ ପ୍ରଶ୍ନପତ୍ର ଲିକ୍ କରିବା ଯୋଗୁଁ ଆମ ସମସ୍ତଙ୍କୁ ଏଭଳି ହଇରାଣ ହେବାକୁ ପଡିଲା ।” ସ୍ଥଗିତ ପରୀକ୍ଷାର ନୂତନ ତାରିଖ ଏବଂ ଲିକ୍ ଘଟଣାର ତଦନ୍ତ ସମ୍ବନ୍ଧରେ ONMEB ପକ୍ଷରୁ ଆଗାମୀ ଦିନଗୁଡିକରେ ନିଷ୍ପତ୍ତି ଆସିବାର ଆଶା କରାଯାଉଛି ।
