LatestNews

ଡିସେମ୍ବର ୧୧ରେ ଆରମ୍ଭ ହେବ ବାଲେଶ୍ୱର ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ

ବାଲେଶ୍ବର (ସଂକେତ ଟିଭି): ଆସନ୍ତା ୧୧ ଓ ୧୨ ଡିସେମ୍ବର ତାରିଖରେ ବାଲେଶ୍ୱର ଜିଲ୍ଲାରେ ଯୁବ ମହୋତ୍ସବ ଆୟୋଜିତ ହେବ । କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଏବଂ ବାଲେଶ୍ୱର ଜିଲ୍ଲା ପ୍ରଶାସନର ଯୋଗଦାନରେ ଏହି ‘ବିକାଶିତ ଭାରତ ଯୁବ ନେତୃତ୍ୱ ସଂଳାପ ୨୦୨୬’ ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ।

ଏହି ମହୋତ୍ସବରେ ୧୫ରୁ ୨୯ ବର୍ଷ ବୟସ ମଧ୍ୟରେ (୧ ସେପ୍ଟେମ୍ବର ୨୦୨୫ ସୁଦ୍ଧା) ଥିବା ଯୁବକ ଯୁବତୀମାନେ ଭାଗ ନେଇପାରିବେ । ମହୋତ୍ସବରେ ସାତ ପ୍ରକାରର ପ୍ରତିଯୋଗିତା ରହିବ: ଲୋକନୃତ୍ୟ (ସମୂହ), ଲୋକଗୀତ (ସମୂହ), ବିଜ୍ଞାନ ମେଳା (ସମୂହ), କବିତା ଲିଖନ (ଏକାକୀ), ଗଳ୍ପ ଲିଖନ (ଏକାକୀ), ଚିତ୍ରାଙ୍କନ (ଏକାକୀ) ଏବଂ ବକ୍ତୃତା (ଏକାକୀ) ।

ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲକାରୀଙ୍କୁ ନଗଦ ପୁରସ୍କାର ପ୍ରଦାନ କରାଯିବ । ଏଥିସହ ପ୍ରଥମ ଓ ଦ୍ୱିତୀୟ ସ୍ଥାନଧାରୀ ସମୂହ ଓ ଏକାକୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଭାଗ ନେବାର ଅବସର ପାଇବେ ।

ଇଚ୍ଛୁକ ପ୍ରତିଯୋଗୀମାନେ ୧୦ ଡିସେମ୍ବର ୨୦୨୫ର ଭିତରେ ନିଜର ବୟସ ପ୍ରମାଣପତ୍ର ଓ ଫଟୋ ସହିତ ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ବା ‘ମୋ ଭାରତ’ କାର୍ଯ୍ୟାଳୟରେ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରିଣୀ (୯୪୩୭୮୭୭୫୫୯), ଜିଲ୍ଲା କ୍ରୀଡା ଅଧିକାରୀ (୯୩୩୮୩୧୨୪୭୮) କିମ୍ବା ‘ମୋ ଭାରତ’ର ଜିଲ୍ଲା ସଂଯୋଜକ (୮୦୧୩୩୩୩୪୩୪) ସହିତ ଯୋଗାଯୋଗ କରାଯାଇପାରିବ ।