ଆରବିଆଇ କମାଇଲା ରେପୋ ରେଟ୍, ଗ୍ରାହକଙ୍କ ଲୋନ୍ EMI ହେବ ଶସ୍ତା
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ କମାଇଛି । ମୁଖ୍ୟ ନୀତି ସୁଧ ହାର ଆଗରୁ ୫.୫ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ତାହା ୫.୨୫ ପ୍ରତିଶତକୁ ଅସିଛି ।
ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା ମଙ୍ଗଳବାର ହୋଇଥିବା ମୋନିଟାରି ପଲିସି କମିଟି ବୈଠକ ପରେ ଏହି ହ୍ରାସ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତିର ଫଳାଫଳ ସିଧାସଳଖ ଗ୍ରାହକଙ୍କ ଋଣ ଏବଂ ମାସିକ କିସ୍ତି (EMI) ଉପରେ ପଡ଼ିବ ।
ରେପୋ ରେଟ୍ ହ୍ରାସ ଫଳରେ ବ୍ୟାଙ୍କଗୁଡ଼ିକ ଗୃହ ଋଣ, ଗାଡ଼ି ଋଣ, ଏବଂ ଅନ୍ୟାନ୍ୟ ଋଣଗୁଡ଼ିକର ସୁଧ ହାର କମାଇବାର ସମ୍ଭାବନା ଅଛି । ଫଳସ୍ୱରୂପ, ଗ୍ରାହକଙ୍କ ମାସିକ EMI ଶସ୍ତା ହେବ ।
ଉଦାହରଣ ସ୍ୱରୂପ, ଯଦି କେହି ୫୦ ଲକ୍ଷ ଟଙ୍କାର ୨୦ ବର୍ଷିଆ ଗୃହ ଋଣ ନେଇଥାଆନ୍ତି, ତେବେ ତାଙ୍କର ବାର୍ଷିକ ପ୍ରାୟ ୪,୨୦୦ ଟଙ୍କା ସଞ୍ଚୟ ହୋଇପାରିବ ଏବଂ ଋଣ ଅବଧିରେ ମୋଟ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ସୁଧରେ ବଞ୍ଚିବେ । ସେହିପରି ୧୦ ଲକ୍ଷ ଟଙ୍କାର ଗାଡ଼ି ଋଣରେ ମାସିକ କିସ୍ତି ପ୍ରାୟ ୫୦୦ ଟଙ୍କା ପର୍ଯ୍ୟନ୍ତ କମିଯାଇପାରେ ।
ଯେଉଁମାନଙ୍କର ଋଣ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି (ଲିଙ୍କଡ୍), ସେମାନେ ତୁରନ୍ତ ଏହି ଲାଭ ପାଇବେ । ଏହି ଘଟଣାର ଅନ୍ୟ ଏକ ପାର୍ଶ୍ୱ ହେଉଛି ଯେ ଫିକ୍ସଡ୍ ଡିପଜିଟ୍ (FD) ଉପରେ ମିଳୁଥିବା ସୁଧ ହାର ମଧ୍ୟ କ୍ରମେ କମିବାର ସମ୍ଭାବନା ରହିଛି ।
