ଇଣ୍ଡିଗୋ ସଙ୍କଟରେ ବିମାନ ଭଡ଼ା ଆକାଶଛୁଆଁ, ଭଡ଼ା ବୃଦ୍ଧିରେ ଅଂକୁଶ ଲଗାଇଲେ ସରକାର
ନୂଆଦିଲ୍ଲୀ (ସଂକେତ ଟିଭି): ଦେଶର ସର୍ବବୃହତ ବିମାନ ସେବା ଇଣ୍ଡିଗୋରେ ଗତ ପାଞ୍ଚ ଦିନ ଧରି ଚାଲିଥିବା ବିପର୍ଯ୍ୟୟ ଯୋଗୁଁ ବିମାନ ଯାତ୍ରା ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ କମ୍ପାନୀଟି ୧୦୦୦ ରୁ ଅଧିକ ବିମାନ ବାତିଲ କରିଥିବା ବେଳେ, ଫଳସ୍ବରୂପ ଦିଲ୍ଲୀ ଓ ମୁମ୍ବାଇ ସମେତ ବିଭିନ୍ନ ବିମାନବନ୍ଦରରେ ଭୀଡ଼ ବଢ଼ିଯାଇଛି।
ଏହି ଅସୁବିଧାର ସୁଯୋଗ ନେଇ ଅନ୍ୟ ବିମାନ କମ୍ପାନୀଗୁଡ଼ିକ ଟିକେଟ ମୂଲ୍ୟ ବିକଟ ଭାବରେ ବୃଦ୍ଧି କରିଥିବା ଦେଖାଯାଇଛି। ଯାତ୍ରୀମାନେ ଅସାମାନ୍ୟ ଉଚ୍ଚ ଭଡ଼ା ଦେବା ବାଧ୍ୟ ହେଉଥିବାରୁ ଏକ ଗମ୍ଭୀର ସଙ୍କଟ ସୃଷ୍ଟି ହୋଇଥିଲା।
ଏହି ପରିସ୍ଥିତିରେ କେନ୍ଦ୍ର ସରକାର ଏକ ଗୁରୁତ୍ଵପୂର୍ଣ୍ଣ ହସ୍ତକ୍ଷେପ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋ ପ୍ରଭାବିତ ସମସ୍ତ ରୁଟ୍ରେ ବିମାନ ଭଡ଼ା ଉପରେ ସୀମା ଆରୋପ କରିବା ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ଫଳରେ ଟିକେଟ ମୂଲ୍ୟ ଆଉ ବେଶୀ ବଢ଼ିପାରିବ ନାହିଁ ବୋଲି ଆଶା କରାଯାଉଛି।
ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ପ୍ରଭାବିତ ରୁଟ୍ଗୁଡ଼ିକରେ ନ୍ୟାୟସଙ୍ଗତ ଓ ଯୁକ୍ତିସଙ୍ଗତ ଭଡ଼ା ସୁନିଶ୍ଚିତ କରିବା ପାଇଁ ନିୟାମକୀୟ କ୍ଷମତା ବ୍ୟବହାର କରାଯାଇଛି। ସମସ୍ତ ବିମାନ କମ୍ପାନୀଙ୍କୁ ଏ ସମ୍ବନ୍ଧୀୟ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଏହି ଭଡ଼ା ସୀମା କାର୍ଯ୍ୟକାରୀ ରହିବ।
