ବାରବାଟୀ ଟି-୨୦: ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦ. ଆଫ୍ରିକା ଦଳ
ଭୁବନେଶ୍ବର (ସଂକେତ ଟିଭି): ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆସି ପହଞ୍ଚିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ର ଖେଳାଳି ମାନେ । ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଉଭୟ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ।
ଭାରତୀୟ କ୍ରିକେଟ ଟିମ୍ର କୋଚ୍ ଗୌତମ ଗମ୍ଭୀର ପ୍ରଥମେ ବିମାନ ବନ୍ଦରରୁ ବାହାରିଥିଲେ । ତାଙ୍କ ସହିତ ତିଲକ ବର୍ମା, ଅର୍ସଦୀପ ସିଂ, ହର୍ଶିତ୍ ରାଣା, କୁଲଦୀପ ୟାଦବ, ୱାଶିଂଟନ ସୁନ୍ଦର ଓ ଅନ୍ୟ ଖେଳାଳି ମାନେ ପହଞ୍ଚିଛନ୍ତି । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ୍ ବୁମ୍ରା ପହଞ୍ଚି ସାରିଥିଲେ । ଦକ୍ଷିଣ ଆଫ୍ରିକାର କୋଚ୍ ଓ ଖେଳାଳି ମାନେ ମଧ୍ୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ।
କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ଗଲେ ଉଭୟ ଟିମ୍ । ହୋଟେଲରେ ଉଭୟ ଦଳର ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ।
ପୂର୍ବରୁ ଓଡିଶାରେ ପହଞ୍ଚିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଅପରାହ୍ନରେ ବାରବାଟୀରେ ନେଟ୍ସ ପାଇଁ ପହଞ୍ଚିଥିଲେ । ଆସନ୍ତାକାଲି ଦୁଇ ଦଳର ଅଭ୍ୟାସ୍ ସେସନ୍ ରହିଛି ବାରବାଟୀରେ । ଏଥିପାଇଁ ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଶନିବାର ରାତିରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁକ୍ରବାର ରାତିରେ ଦକ୍ଷିଣ ଆଫ୍ରିକାର ପାଞ୍ଚ ଜଣ ଖେଳାଳି ପହଞ୍ଚିଥିଲେ । ଅପରାହ୍ନରେ ଭାଇଜାଗରୁ ଅନ୍ୟ ଖେଳାଳିମାନେ ଆସି ପହଞ୍ଚିଛନ୍ତି । ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲକୁ ନିଆଯାଇଥିଲା । ଆଉ କିଛି ଷ୍ଟାଫ୍ ଏବଂ ଖେଳାଳି ଆଜି ରାତିରେ ପହଞ୍ଚିବାର ଥିବା ବେଳେ ବାରବାଟୀର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
