ମହାନଦୀ ବିବାଦ ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏହି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
ଏହି ବିବାଦକୁ ନେଇ ବିଗତ ବର୍ଷଗୁଡିକରେ ଉଭୟ ରାଜ୍ୟର ନେତା ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନେକ ବୈଠକ ହୋଇସାରିଛି ଏବଂ କେତେକ ସମାଧାନ ମାର୍ଗ ମଧ୍ୟ ଆଲୋଚିତ ହୋଇଛି। ଜାତୀୟ ହରିତ ଟ୍ରିବ୍ୟୁନାଲରେ ମାମଲା ଚାଲିଥିବା ବେଳେ ସେଠାରେ ମଧ୍ୟ ଆପୋସ ସମାଧାନ ପ୍ରସ୍ତାବ ଆଲୋଚନା ହୋଇଥିଲା। ତଥାପି ବିବାଦର ସ୍ଥାୟୀ ସମାଧାନ ହୋଇପାରିନଥିବାରୁ ନୂତନ କମିଟି ଗଠନ କରାଗଲା।
ଉପମୁଖ୍ୟମନ୍ତ୍ରୀଙ୍କୁ ଅଧ୍ୟକ୍ଷ କରି ଗଠିତ ଏହି କମିଟିରେ ୭ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ବିଧାୟିକା ସୋଫିଆ ଫିର୍ଦୌସ। ଏହି କମିଟି ବିବାଦର ସମ୍ପୂର୍ଣ୍ଣ ପରିସ୍ଥିତି ପୁନରବଲୋକନ କରି ଦ୍ରୁତ ସମାଧାନ ପାଇଁ ରାସ୍ତା ଖୋଜିବେ ବୋଲି ଆଶା କରାଯାଉଛି।
