୫୯୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗୁରୁବାର ୫୯୧ ଜଣ ନୂତନ ଚୟନିତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଭୁବନେଶ୍ୱର ସ୍ଥିତ ଓୟୁଏଟିର ଓଡ଼ିଶା କୃଷି ଶିକ୍ଷା ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ, ଜଳ ସମ୍ପଦ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କର୍ମଚାରୀମାନେ ନିଯୁକ୍ତିପତ୍ର ପାଇଛନ୍ତି।
ନିଯୁକ୍ତ ହେଉଥିବା ୫୯୧ ଜଣଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗରେ ୨୫୨ ଜଣ, ପୂର୍ତ୍ତ ବିଭାଗରେ ୧୯୭ ଜଣ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୧୪୨ ଜଣ ଅଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟା ରାଜ୍ୟର ଯୁବଶକ୍ତିଙ୍କ ଭବିଷ୍ୟତ ନିର୍ମାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ସଭାରେ ମୁଖ୍ୟମନ୍ତ୍ରୀ ମାଝୀ ୪୨୫ କୋଟି ଟଙ୍କା ମୂଲ୍ୟର ଏକ ନୂତନ ଜଳସେଚନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି, ଯାହା ରାଜ୍ୟର କୃଷି କ୍ଷେତ୍ରକୁ ଗଭୀର ଭାବରେ ଲାଭାନ୍ୱିତ କରିବ। ଏହାସହ ସେ ୨୦୬୩ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ମୋଟ ୨୪୮୮ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଭିଡିଓ କନ୍ଫରେନ୍ସିଙ୍ଗ୍ (ଭିସି) ଜରିଆରେ ଅନୁଷ୍ଠିତ ହୋଇଥିବା ବିଶେଷତ୍ୱ।
ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଜଳ ସମ୍ପଦ) ଅନୁ ଗର୍ଗ ଏବଂ ପ୍ରମୁଖ ସଚିବ (ନଗର ଉନ୍ନୟନ) ଉଷା ପାଢ଼ୀ ଆଦି ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।
