LatestNews

କେମିକାଲ ମିଶା ମାଛ ବିକ୍ରି ପାଇଁ ଜଳେଶ୍ବର ମାଛ ମାର୍କେଟରେ ଚଢାଉ

ବାଲେଶ୍ଵର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌରପାଳିକା ତରଫରୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ଏକ ଏନଫୋର୍ସମେଣ୍ଟ ଟିମ୍ ଜଳେଶ୍ୱର ସହରର କେନ୍ଦ୍ରସ୍ଥଳୀ ଥାନା ବଜାର ମାଛ ମାର୍କେଟ୍ ଉପରେ ଚଢ଼ାଉ କରିଛି। ଏହି ଚଢ଼ାଉର ମୁଖ୍ୟ ଲକ୍ଷ୍ୟ ଥିଲା ବର୍ଷବର୍ଷ ଧରି ଚାଲିଆସୁଥିବା ଓଜନରେ ଠକାମୀ, ମାଛକୁ ସତେଜ ଦେଖାଇବା ପାଇଁ ହାନିକାରକ ରଙ୍ଗ ଓ କେମିକାଲ ପ୍ରୟୋଗ ଏବଂ ସ୍ୱାସ୍ଥ୍ୟପାଇଁ ଅନିଷ୍ଟକାରୀ ମାଛ ବିକ୍ରିର ଅଭ୍ୟାସକୁ ବନ୍ଦ କରିବା।

ଜଳେଶ୍ୱର ଥାନା ବଜାର ମାଛ ବଜାର ଉତ୍ତର ଓଡିଶାର ଏକ ପ୍ରମୁଖ ଓ ବ୍ୟସ୍ତବହୁଳ ବଜାର ଭାବରେ ପରିଚିତ। ପ୍ରତିଦିନ ହଜାରହଜାର ଗ୍ରାହକ ଏଠାରେ ମାଛ କିଣିବାକୁ ଆସନ୍ତି। କିନ୍ତୁ ଏହି ବଜାରରେ ନିୟମିତ ଭାବେ ଓଜନରେ ଠକେଇ କରାଯିବା ଏବଂ କେମିକାଲ ମିଶା ମାଛ ବିକ୍ରି ହେଉଥିବା ବିଷୟରେ ଅଭିଯୋଗ ଲାଗିରହିଥିଲା। ଏହି ଅନିୟମିତତାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ଜଳେଶ୍ୱର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂଙ୍କ ନେତୃତ୍ୱରେ ଏହି ଟିମ୍ରେ ଜଳେଶ୍ୱର ଆଇଆଇସି ଅଶୋକ ବାରିକ, ଖାଦ୍ୟ ନିରାପତ୍ତା ଅଧିକାରୀ ଶଶିକାନ୍ତ ବେହେରା, ଓଜନ ଓ ପରିମାପ ବିଭାଗର ଇନ୍ସପେକ୍ଟର ଚିନ୍ମୟ କୁମାର ଜେନା ଏବଂ ବାଲେଶ୍ୱର ସ୍ଥିତ ଏନଫୋର୍ସମେଣ୍ଟ ଅଧିକାରୀ ବୁଦ୍ଧେନ୍ଦୁ ସିଦ୍ଧେଶ୍ୱର ଲେଙ୍କା ଆଦି ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଚଢ଼ାଉ ସମୟରେ ଟିମ୍ ଦେଖିଲା ଯେ ଅନେକ ବ୍ୟବସାୟୀ ଗ୍ରାହକଙ୍କୁ ଓଜନରେ ଠକେଇ କରୁଥିଲେ ଏବଂ ମାଛକୁ ଆକର୍ଷଣୀୟ ଦେଖାଇବା ପାଇଁ କେମିକାଲ ପ୍ରୟୋଗ କରୁଥିଲେ। ଏହି ଅନିୟମିତତାରେ ଲିପ୍ତ ଥିବା ୫ ଜଣ ବ୍ୟବସାୟୀଙ୍କୁ ଧରା ପଡ଼ିବାରୁ ସେମାନଙ୍କଠାରୁ ଜରିମାନା ସ୍ୱରୂପ ୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ଅନ୍ୟ ବ୍ୟବସାୟୀମାନଙ୍କୁ ଟ୍ରେଡ୍ ଲାଇସେନ୍ସ ନେବା ଏବଂ ଓଜନ ଓ ପରିମାପ ବିଭାଗରେ ବଟକରା ପଞ୍ଜିକରଣ କରିବା ପାଇଁ ନୋଟିସ୍ ଦିଆଯାଇଛି।

ଏହି କାର୍ଯ୍ୟାନୁଷ୍ଠାନ ପରେ ସମ୍ପୂର୍ଣ୍ଣ ମାଛ ବଜାରରେ ଦହଶର ପଶିଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ ଜଣାଇଛନ୍ତି ଯେ ଗ୍ରାହକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ନିଶ୍ଚିତ କରିବା ପାଇଁ ଏପରି ଚଢ଼ାଉ ନିୟମିତ ଭାବରେ ଚାଲୁରହିବ।