FeaturedLatestNews

ଭୁବନେଶ୍ୱରରେ ଖୋଲିବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସୁବିଧା ଆସିବାର ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ଭୁବନେଶ୍ୱରରେ ଏକ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛନ୍ତି।

ଏହି ନୂତନ ଭିସା ସେଣ୍ଟରଟି ବରମୁଣ୍ଡା ବସ୍ ଟର୍ମିନାଲ୍ କମ୍ପ୍ଲେକ୍ସରେ ଅବସ୍ଥିତ ଡାକ୍ତର ବାବାସାହେବ ଆମ୍ବେଦକର ବାସ୍ତୁଶିଳ୍ପରେ କାର୍ଯ୍ୟକ୍ଷମ ହେବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରାୟ ୩,୦୦୦ ବର୍ଗଫୁଟର ଜାଗା ଯୋଗାଇଦେବେ।

ଏହି ସେଣ୍ଟର ଖୋଲିବା ପରେ ଓଡିଶାର ଲୋକଙ୍କୁ ଆନ୍ତର୍ଜାତିକ ଭିସା ପାଇଁ ଅନ୍ୟ ସହର ଯିବାକୁ ପଡିବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଭିଜା ପ୍ରକ୍ରିୟା ପାଇଁ ରାଜ୍ୟବାସୀଙ୍କୁ କଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ସହରକୁ ଯାତ୍ରା କରିବା ପଡୁଥିଲା, ଯାହା ସମୟ ଓ ଅର୍ଥ ଦୁଇଟିର କ୍ଷୟ ଥିଲା।

ରାଜଧାନୀରେ ଏପରି ଏକ ଭିସା କେନ୍ଦ୍ର ଖୋଲିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ଦୀର୍ଘ ଦିନରୁ ଦାବି ଉଠୁଥିଲା। ଏହି ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟବାସୀଙ୍କ ପାଇଁ ବଡ଼ ସୁବିଧା ସୃଷ୍ଟି କରିଛନ୍ତି।