LatestNews

ଡିସେମ୍ବର ୨୨ରୁ ବାଲେଶ୍ୱରରେ ଜାତୀୟ ପଲ୍ଲୀଶ୍ରୀ ମେଳା ‘କୋଶମ୍ବ ୨୦୨୫’

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱରରେ ଜିଲ୍ଲା ସ୍ଵଦେଶୀ ମହୋତ୍ସବ ସହିତ ଜାତୀୟ ସ୍ତରୀୟ ‘ପଲ୍ଲୀଶ୍ରୀ ମେଳା–କୋଶମ୍ବ ୨୦୨୫’ ଆୟୋଜିତ ହେବ। ଓଡ଼ିଶା ରୁରାଲ୍ ଡେଭଲପମେଣ୍ଟ ଏଣ୍ଡ ମାର୍କେଟିଂ ସୋସାଇଟି (ORMAS) ଏବଂ ବାଲେଶ୍ୱର ଜିଲ୍ଲା ପ୍ରଶାସନଙ୍କ ଦ୍ଵାରା ଆୟୋଜିତ ଏହି ମେଳା ଗ୍ରାମୀଣ ଉତ୍ପାଦକ, କଳାକାର, ସ୍ଵୟଂସାହାଯ୍ୟକ ଗୋଷ୍ଠୀ (SHG) ଏବଂ ଉତ୍ପାଦକ ଗୋଷ୍ଠୀ (PG)ଙ୍କୁ ନିଜ ଉତ୍ପାଦ ସର୍ବସାଧାରଣ ପ୍ରଦର୍ଶନୀ ମାଧ୍ୟମରେ ବଜାର କରିବାର ଏକ ଅଭିନବ ମଞ୍ଚ ଯୋଗାଇଦେବ।

ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ବିଭିନ୍ନ ଦାରିଦ୍ର୍ୟ ନିବାରଣ କାର୍ଯ୍ୟକ୍ରମ ଅଧୀନରେ ସହାୟତା ପାଉଥିବା ଗ୍ରାମୀଣ ଉତ୍ପାଦକ ଓ କଳାକାରଙ୍କ ନିର୍ମିତ ପଣ୍ୟର ବିକ୍ରୟ ଓ ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବା। ଏହା ସେମାନଙ୍କୁ ଉପଭୋକ୍ତାଙ୍କ ରୁଚି ବୁଝିବାରେ ସାହାଯ୍ୟ କରି ଉତ୍ପାଦର ଗୁଣ, ଡିଜାଇନ୍ ଓ ପ୍ୟାକେଜିଙ୍ଗ ଉନ୍ନତି କରିବାରେ ସହାୟକ ହେବ। ଏହାଦ୍ଵାରା ଗ୍ରାମୀଣ ଉତ୍ପାଦକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଘଟି ହସ୍ତଶିଳ୍ପର ଉନ୍ନତି ତ୍ୱରାନ୍ୱିତ ହେବ।

‘କୋଶମ୍ବ ୨୦୨୫’ ମେଳା ଡିସେମ୍ବର ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱରର ରିଜର୍ଭ ପୋଲିସ୍ ଲାଇନ୍ ମାଇଦାନରେ ଅନୁଷ୍ଠିତ ହେବ। ଏଥିରେ ୩୫୦ଟି ଷ୍ଟଲ ରହିବ, ଯାହାରେ ୪୦ଟି ଖାଦ୍ୟ ଷ୍ଟଲ ହେବ। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ସହ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୨୦୦ଟି SHG/PG ଅଂଶଗ୍ରହଣ କରିବେ। ମେଳାରେ ୬ କୋଟି ଟଙ୍କାର ବିକ୍ରୟ ଲକ୍ଷ୍ୟ ରଖାଯାଇଛି।

ମେଳାରେ ହସ୍ତତନ୍ତ, ହସ୍ତଶିଳ୍ପ ଓ ପ୍ରସ୍ତୁତ ଖାଦ୍ୟ ପାଇଁ ୨୫୦ଟି ଷ୍ଟଲ ରହିବ। ପାରମ୍ପରିକ ଓଡ଼ିଆ, ଚାଇନିଜ୍, କଣ୍ଟିନେଣ୍ଟାଲ୍, ବାରିପଦା ମଟନ ମୁଡ଼ି, ରାଜସ୍ଥାନୀ ଓ ପଞ୍ଜାବୀ ସମେତ ୪୦ଟି ବିଭିନ୍ନ ଖାଦ୍ୟ ଷ୍ଟଲ ରହିବ। ଫାର୍ମ ମେକାନାଇଜେସନ୍ ମେଳା ପାଇଁ ୪୫ଟି ଷ୍ଟଲ, ORMAS ଥିମ୍ ପାଭିଲିୟନ୍, ଉଦ୍ୟୋଗ ଓ ବ୍ୟାଙ୍କ ସେବା ପାଇଁ ବିଶେଷ ଷ୍ଟଲ, ଡେମୋନସ୍ଟ୍ରେସନ୍ ମଣ୍ଡପ, ଶିଶୁମାନଙ୍କ ପାଇଁ କିଡ୍ସ ଜୋନ୍ ଓ ରିଡିଂ ଜୋନ୍, ସେଲଫି ଜୋନ୍, ଫଟୋ ଗ୍ୟାଲେରୀ ଏବଂ ଇନୋଭେଟିଭ୍ ବୁକ୍ କାଫେ ରହିବ। ପ୍ରତିଦିନ ଓଡ଼ିଶୀ, ସମ୍ବଲପୁରୀ, ଶାସ୍ତ୍ରୀୟ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।

ମେଳାରେ ବିହାରର ଟସର ରେଶମ, ଆସାମର କାଠ ଓ ବାଉଁଶ ଶିଳ୍ପ, ଜମ୍ମୁ ଓ କାଶ୍ମୀରର କାଶ୍ମୀରୀ ଶାଲ, ପଶ୍ଚିମବଙ୍ଗର ଜୁଟ ଓ ଡ୍ରାଇ ଫ୍ଲାୱାର, କର୍ଣ୍ଣାଟକର ଅଗରବତୀ ଓ ସୁଗନ୍ଧ ଦ୍ରବ୍ୟ ପ୍ରଦର୍ଶିତ ହେବ। ଓଡ଼ିଶାର ଟେରାକୋଟା, ଜନଜାତି ଗହଣା, ଡୋକରା କାଷ୍ଟିଂ, କପାସ ହସ୍ତତନ୍ତ, କେନ୍ଦୁଝରୀ ଫୁଲ ବଡ଼ି, ଶୁଖୁଲା ମାଛ ଆଦି ସହ ବାଲେଶ୍ୱରର ସବାଇ ଶିଳ୍ପ, ଲାକର କାରିଗରୀ, ଜୁଟ କାମ, ମାକ୍ରାମେ କଳା, ପଥର ଖୋଦାଇ, ଆପ୍ଲିକ୍ କଳା, ତସର ହସ୍ତତନ୍ତ, ନଡ଼ିଆ ତେଲ ଓ ତେଜପତ୍ର ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିବ।