୫-ବର୍ଷ-ବୟସ୍କା ନାବାଳିକା ଉପରେ ଯୌନ ନିର୍ଯାତନା: ପଡୋଶୀ ଗିରଫ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସମ୍ମୁଖକୁ ଆସିଛି। ଗତ ୧୫ ଡିସେମ୍ବର ଅପରାହ୍ନ ପ୍ରାୟ ୩ଟା ବେଳେ ମାତ୍ର ୫ ବର୍ଷ ବୟସ୍କା ଏକ ନାବାଳିକାକୁ ତାଙ୍କ ଘର ପଛପଟେ ଏକ ନିର୍ଜନ ସ୍ଥାନକୁ ନେଇ ପଡ଼ୋଶୀ ତଥା କଜିନ୍ ମାତୃଳ ଦାଦା ଦିଲ୍ଲୀପ ହେମ୍ବ୍ରମ (୨୪) ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ରହିଛି।
ନାବାଳିକା ଭୟରେ ଜୋର୍ରେ କାନ୍ଦିବା ଶୁଣି ପାଖରେ ଥିବା ଅଭିଯୋଗକାରିଣୀଙ୍କ ଭଉଣୀ ପଣମାନି ବାସ୍କେ ଘଟଣାସ୍ଥଳକୁ ଯାଇଥିଲେ। ତାଙ୍କ ପାଟିଦେବା ଶୁଣି ନାବାଳିକାର ମାଆ ଦୌଡ଼ି ଆସି ଉଭୟ ମିଶି କଷ୍ଟକରି ଝିଅକୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଥିଲେ।
ଏହି ଘଟଣାକୁ ନେଇ ନାବାଳିକାର ମାଆ ପରଦିନ ୧୬ ଡିସେମ୍ବର ଅପରାହ୍ନ ୧ଟା ୨୮ ମିନିଟ୍ ବେଳେ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ମାମଲା ରୁଜୁ ହୋଇଛି (ନମ୍ବର ୨୫୭/୨୦୨୫) ଏବଂ ଅଭିଯୁକ୍ତ ଦିଲ୍ଲୀପ ହେମ୍ବ୍ରମଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୬୫(୨)/୬୪(୨)(ଏଫ୍) ଏବଂ ପୋକ୍ସୋ ଆକ୍ଟର ଧାରା ୬ ଅନୁଯାୟୀ ଗିରଫ କରାଯାଇ ଜେଲ୍କୁ ପଠାଯାଇଛି।
ତଦନ୍ତକାରୀ ଅଧିକାରୀ ତଥା ଥାନା ଆଇଆଇସି ଆଦିତ୍ୟ ପ୍ରସାଦ ଜେନାଙ୍କ ନେତୃତ୍ୱରେ ଅଭିଯୋଗକାରିଣୀ ଓ ନାବାଳିକାଙ୍କ ବୟାନ ଭିଡିଓଗ୍ରାଫି ସହ ରେକର୍ଡ କରାଯାଇଛି। ନାବାଳିକାକୁ ଡାକ୍ତରୀ ପରୀକ୍ଷା ଏବଂ ଜୈବିକ ନମୁନା ସଂଗ୍ରହ ପାଇଁ ପିଆର୍ଏମ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ବାରିପଦାକୁ ପଠାଯାଇଛି।
