LatestNews

ଡିସେମ୍ବର ୨୩ରୁ ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟସ କଲେଜର କଳାମେଳା

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟସ କଲେଜ ପକ୍ଷରୁ ଆସନ୍ତା ୨୩, ୨୪ ଓ ୨୫ ଡିସେମ୍ବରରେ ତିନିଦିନିଆ ୩୧ତମ ବାର୍ଷିକ ଉତ୍ସବ ଓ କଳାମେଳା ଆୟୋଜିତ ହେବ। କଲେଜ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ । ଏହା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।

ଡିସେମ୍ବର ୨୩ ତାରିଖ ମଙ୍ଗଳବାର ସନ୍ଧ୍ୟା ୫:୦୦ଟାରୁ ଉତ୍ସବର ଶୁଭାରମ୍ଭ ହେବ। ଉଚ୍ଚଶିକ୍ଷା, କ୍ରୀଡ଼ା, ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଏହି ଅବସରରେ ଉପସ୍ଥିତ ରହିବେ। ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ଏବଂ ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ଦ୍ୱିତୀୟ ଦିବସ (୨୪ ଡିସେମ୍ବର, ବୁଧବାର) ସନ୍ଧ୍ୟା ୬:୦୦ଟାରୁ କଳା ମେଳା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ଏହି ଦିନ ବାର୍ଷିକ କଳା ପ୍ରଦର୍ଶନୀ ଖୋଲାଯିବ ଏବଂ କୃତିଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ସମାପନୀ ଦିବସ ୨୫ ଡିସେମ୍ବର (ଗୁରୁବାର) ସନ୍ଧ୍ୟା ୬:୦୦ଟାରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ଜଣେ ବିଶିଷ୍ଟ କଳାକାରଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ବିଭିନ୍ନ ବିଶେଷ ଅତିଥିଙ୍କୁ ସମ୍ମାନିତ କରାଯିବ।

କଲେଜ ସଭାପତି ଶ୍ରୀ ସଂଗ୍ରାମ କୁମାର ଦାସ ଏବଂ ସମ୍ପାଦକ ତଥା ଅଧ୍ୟକ୍ଷ ଶ୍ରୀ ନିକୁଞ୍ଜ ବିହାରୀ ଦାସ ସମସ୍ତ କଳାପ୍ରେମୀ, ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଏହି ତିନିଦିନିଆ କଳା ଉତ୍ସବରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି।