FeaturedGeneralLatest

ରାଜ୍ୟସଭାରେ ମଧ୍ୟ ପାରିତ ହେଲା ଭିବି-ଜି ରାମ ଜି ବିଲ୍

ନୂଆଦିଲ୍ଲୀ (ସଂକେତ ଟିଭି): ରାଜ୍ୟସଭାରେ ଗୁରୁବାର ରାତିରେ ପ୍ରବଳ ହଟ୍ଟଗୋଳ ଓ ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ୱେ ଭିବି-ଜି ରାମ ଜି ବିଲ୍ ପାରିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବିଧେୟକ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ (ମନରେଗା)ର ନାମ ପରିବର୍ତ୍ତନ କରି ଏହାକୁ ‘ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକ ମିଶନ ବିଧେୟକ, ୨୦୨୫’ କରିବ।

ଏହି ବିଧେୟକ ପୂର୍ବରୁ ଗୁରୁବାର ଅପରାହ୍ନରେ ଲୋକସଭାରେ ମଧ୍ୟ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଥିଲା। ରାଜ୍ୟସଭାରେ ବିତର୍କ ମଧ୍ୟ ରାତି ପର୍ଯ୍ୟନ୍ତ ଚାଲିଥିଲା ଏବଂ ରାତି ୧୨ଟା ୧୫ ମିନିଟରେ ମତଦାନ ଅନୁଷ୍ଠିତ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ପ୍ରସ୍ତାବକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ପ୍ରବଳ ଭାବରେ ବିରୋଧ କରିଥିଲେ। ସେମାନେ ଏହି ବିଲ୍କୁ ସ୍ଥାୟୀ କମିଟି ପାଖକୁ ପଠାଇବା କିମ୍ବା ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବି କରି ଶେଷରେ କକ୍ଷ ତ୍ୟାଗ କରିଥିଲେ।

କ୍ଷମତାସୀନ ଏନଡିଏ ଜୋଟିର ସାଂସଦଙ୍କ ଉପସ୍ଥିତିରେ ଉଭୟ ଗୃହରେ ବିଧେୟକଟି ଗୃହୀତ ହୋଇଛି। ଏବେ ଏହା ରାଷ୍ଟ୍ରପତିଙ୍କ ସମ୍ମତି ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ସମ୍ମତି ମିଳିବା ପରେ ଏହା ଆଇନରେ ପରିଣତ ହେବ।

ରାଜ୍ୟସଭାରେ ବିତର୍କ ସମୟରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଦାବି କରିଛନ୍ତି ଯେ ଏହି ବିଧେୟକ ଗରିବଙ୍କୁ ବରବାଦ କରିଦେବ। ସେ ସରକାରଙ୍କୁ ଏହି ଆଇନ ପ୍ରତ୍ୟାହାର କରିବାକୁ ଅନୁରୋଧ କରି କହିଛନ୍ତି, “ସରକାରଙ୍କୁ ଏହି ଆଇନ ପ୍ରତ୍ୟାହାର କରିବାକୁ ଅନୁରୋଧ କରୁଛି। ଏବେ ବି ସମୟ ଅଛି। ସରକାର ଏହାକୁ ପ୍ରତ୍ୟାହାର କରି ନିଅନ୍ତୁ।”